ମହାପ୍ରଭୁ ଶ୍ରୀଜିଉଙ୍କ ମୂଲ୍ୟବାନ ରତ୍ନ ଅଳଙ୍କାରର ଯାଞ୍ଚ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି। ଆଜି ପୁଣିଥରେ ଖୋଲିଛି ଶ୍ରୀଜିଉଙ୍କ ରତ୍ନଭଣ୍ଡାର। ବର୍ତ୍ତମାନ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ଗଣତିର ତୃତୀୟ ଦିନରେ ବାହାର ରତ୍ନଭଣ୍ଡାରର ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ କରାଯାଉଛି। ଶ୍ରୀମନ୍ଦିରର ସକାଳ ଧୂପ ନୀତି ସମ୍ପନ୍ନ ହେବା ପରେ ଏହି ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି।
ବାହାର ରତ୍ନଭଣ୍ଡାରର ଚାଲିଛି ଗଣତି
ଗତ ମାର୍ଚ୍ଚ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଚଳନ୍ତି ରତ୍ନ ଭଣ୍ଡାରର ଗଣତି କାର୍ଯ୍ୟ ସଫଳତାର ସହ ଶେଷ ହୋଇଥିଲା। ଏହା ପରେ ଏପ୍ରିଲ ୮ ତାରିଖରୁ ଆରମ୍ଭ ହୋଇଛି ବାହାର ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା। ଏହି ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟତଃ ସୁନାବେଶ ଏବଂ ରାଜରାଜେଶ୍ୱର ବେଶରେ ବ୍ୟବହୃତ ହେଉଥିବା ଅଳଙ୍କାରଗୁଡ଼ିକର ଯାଞ୍ଚ କରାଯାଉଛି। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପାଦିତ ହେଉଛି। ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିର୍ଭୁଲତା ବଜାୟ ରଖିବା ପାଇଁ ୩ଡି ମ୍ୟାପିଂ, ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଉଛି।
ଦର୍ଶନ ଓ ନୀତିକାନ୍ତି ଅବ୍ୟାହତ
ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଚାଲିଥିଲେ ମଧ୍ୟ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନରେ କୌଣସି ପ୍ରକାର ବ୍ୟାଘାତ ସୃଷ୍ଟି ହୋଇନାହିଁ। ଏହି ଗଣତି ପ୍ରକ୍ରିୟା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ରବିବାର ଦିନ (୧୨ ତାରିଖ) ବନ୍ଦ ରହି ପୁଣି ୧୩ ତାରିଖରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟ ସମ୍ପନ୍ନ ହେବା ପରେ ଭିତର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଗଜପତି ମହାରାଜା ମଧ୍ୟ ନିକଟରେ ଶ୍ରୀମନ୍ଦିର ଯାଇ ଏହି ପ୍ରକ୍ରିୟାର ଅନୁଧ୍ୟାନ କରିଛନ୍ତି ଏବଂ ଭବିଷ୍ୟତରେ ଯେପରି କୌଣସି ବିବାଦ ସୃଷ୍ଟି ନହୁଏ, ସେଥିପାଇଁ ଗଣତି କାର୍ଯ୍ୟ ଅତ୍ୟନ୍ତ ସୁଚାରୁ ରୂପେ କରିବାକୁ ପରାମର୍ଶ ଦେଇଛନ୍ତି।