ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀବିହାରରେ ଆଜି ବିଜେପି ଯୁବମୋର୍ଚ୍ଚା ଏବଂ ଏବିଭିପି ନେତାମାନଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଛି। ମାରପିଟ୍ରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଜେପିର ଏହି ଦୁଇ ଛାତ୍ର ଓ ଯୁବ ମୋର୍ଚ୍ଚା ନେତାଙ୍କ ଏଭଳି ଗୋଷ୍ଠୀ ଗନ୍ଦଳ ପରିସ୍ଥିତିକୁ ଅଶାନ୍ତ କରିଦେଇଛି। ଊଭୟ ଗୋଷ୍ଠୀ ଥାନାର ଦ୍ବାରସ୍ଥ ହେବା ସମୟରେ ମଧ୍ୟ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।
ନିର୍ବାଚନ ପୂର୍ବରୁ କ୍ୟାମ୍ପସ ମଧ୍ୟକୁ ଏକାଧିକ ଅଣଛାତ୍ର ଏବଂ ଅପରାଧୀ ପଶି ଆସିଛନ୍ତି। ଏପରିକି ସେମାନେ ହଷ୍ଟେଲ ଭିତରେ ରୁମ୍ କବ୍ଜା କରି ରହିଛନ୍ତି। ତେଣୁ ସେମାନଙ୍କୁ କ୍ୟାମ୍ପସ ଭିତରୁ ବିଦା କରିବା ପାଇଁ ହେମନ୍ତ ହାଁସଦା ଏବଂ ରାଜକୁମାର ପରିଡ଼ାଙ୍କ ନେତୃତ୍ୱରେ ଏକାଧିକ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତା ଆଜି ଦିନରେ ଭିସିଙ୍କୁ ଭେଟି ଦାବିପତ୍ର ଦେଇଥିଲେ। କିନ୍ତୁ ଏବିଭିପିର କିଛି ନେତା ସେଠାରେ ପହଞ୍ଚି ଏହାର ବିରୋଧ କରିଥିଲେ। ଏବିଭିପି ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଯୋଜକ ବାସୁଦେବ ପାଣିଗ୍ରାହୀ କହିଥିଲେ ଯେ ବାଣୀବିହାରରେ କେହି ଅଣଛାତ୍ର କି ଅପରାଧୀ ନୁହନ୍ତି। ଏଠାରେ ପରିସ୍ଥିତିକୁ ଅଶାନ୍ତ କରିବା ଲାଗି ଅମୂଳକ ଅଭିଯୋଗ କରାଯାଉଛି। ଏହାକୁ ନେଇ ଏବିଭିପି ଓ ଯୁବ ମୋର୍ଚ୍ଚା ନେତା ମୁହାଁମୁହିଁ ହୋଇଥିଲେ। ତେବେ କୁଳପତି (ଭିସି) ସେମାନଙ୍କୁ ବୁଝାସୁଝା କରି ବିଦା କରିଥିଲେ। ହେଲେ ଆଜି ସନ୍ଧ୍ୟାରେ ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ପୁଣି ମୁହାଁମୁହିଁ ହୋଇଥିଲେ। ଦୁଇ ଗୋଷ୍ଠୀ ପରସ୍ପରକୁ ଲାଠି ଏବଂ ବାଡ଼ିରେ ଆକ୍ରମଣ କରିଥିଲେ। ଆକ୍ରମଣରେ ବାସୁଦେବ ପାଣିଗ୍ରାହୀ ଏବଂ ଅନ୍ୟ ପଟରୁ ଆଉ ଜଣେ ଛାତ୍ର ଆହତ ହୋଇଥିଲେ। ବାସୁଦେବ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ରାଜକୁମାର ପରିଡ଼ା କିଛି ଦିନ ହେବ ହତ୍ୟା ଧମକ ଦେଇ ଆସୁଛନ୍ତି। ଏପରିକି ତାଙ୍କ କଥା ନମାନିଲେ କ୍ୟାମ୍ପସରୁ ବିଦା କରିବାକୁ ଧମକ ଦେଇଥିଲେ। ଏହାକୁ ନେଇ ସେମାନେ ଆଜି ଆକ୍ରମଣ କରିଥିବା କହିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ଉଭୟଙ୍କ ଗୋଷ୍ଠୀକୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଏହାପରେ ଉଭୟ ଗୋଷ୍ଠୀ ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସହିଦ ନଗର ଥାନା ଘେରାଉ କରିଥିବା ଜଣାପଡ଼ିଛି। ପୁଲିସ ଉଭୟଙ୍କୁ ବୁଝାସୁଝା କରି ପଠାଇବାକୁ ଉଦ୍ୟମ କରିଥିବା ବେଳେ ସେମାନେ କିନ୍ତୁ ଜିଦରେ ଅଟଳ ରହିଥିଲେ। ପୁଲିସ କହିଛି ଯେ ଉଭୟ ଗୋଟିଏ ଦଳର ବୋଲି କହୁଛନ୍ତି। କିଏ ଅସଲି କିଏ ନକଲି ତାହା ତଦନ୍ତ କଲେ ଜଣାପଡ଼ିବ। ଭିସିଙ୍କୁ ଦାବିପତ୍ର ଦେବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଯାହା ସନ୍ଧ୍ୟାରେ ଉଗ୍ରରୂପ ନେଇ ମରଣାନ୍ତକ ଆକ୍ରମଣ ହୋଇଛି। ପୁଲିସ ତଦନ୍ତ କରୁଛି। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।