କଟକ: ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି (ଆଇଏମଆଇଟି), କଟକର ଏମବିଏ ବିଭାଗରେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ କଟକର ଚୌଧୁରୀ ବଜାର ସ୍ଥିତ ଶହୀଦ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ମାନସ ରଞ୍ଜନ କବାଟ ସଭାପତିତ୍ଵ କରିଥିଲେ । ଶହୀଦ ଭବନ ଠାରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇ ଥିବାରୁ ସେ କଟକ ଜିଲ୍ଲାପାଳ ଏବଂ କଟକ ମ୍ୟୁନିସିପାଲ କର୍ପୋରେସନର କମିଶନର ଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥି ସହିତ କଟକ ମ୍ୟୁନିସିପାଲ କର୍ପୋରେସନ ର ଡେପୁଟି କମିଶନର (ରାଜସ୍ୱ) ତଥା ଆଇଏମଆଇଟି ର ପୁରାତନ ଛାତ୍ର ଶ୍ରୀଯୁକ୍ତ ଅମିୟ କୁମାର ପଣ୍ଡାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ବିଦାୟୀ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏଥି ସହିତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଶତ ପ୍ରତିଶତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆଲୋଚନା କରିଥିଲେ।
ଏମବିଏ ବିଭାଗ ମୁଖ୍ୟ ଡକ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ ବିଦାୟୀ ଛାତ୍ରଛାତ୍ରୀଙ୍କର ଶୃଙ୍ଖଳିତ ଆଚରଣ ଏବଂ ଅନୁଷ୍ଠାନ ପ୍ରତି ଆନୁଗତ୍ୟ ବିଶେଷରେ ଆଲୋକପାତ କରି ପ୍ରଶଂସା କରିଥିଲେ। ଏମବିଏ ବିଭାଗର ଶିକ୍ଷକ ତଥା କୋଡିନେଟର ଶ୍ରୀଯୁକ୍ତ ରଜତ କୁମାର ବଳିଆରସିଂହ ଏହି ସମାରୋହ କୁ ସୂଚାରୁ ରୂପେ ପରିଚାଳିତ କରିଥିଲେ । ସଭା ପରିଚାଳନା ରେ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଏହି ବିଦାୟ ଉତ୍ସବରେ ଉପସ୍ଥିତ ରହିଥିଲେ । ବିଦାୟୀ ଛାତ୍ରଛାତ୍ରୀଙ୍କ ଉଦେଶ୍ୟରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ବିଭିନ୍ନ ମନୋରଞ୍ଜନ ଭିତ୍ତିକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ ।