ଆସିକା: ଗ୍ୟାସରେ ରୋଷେଇ କରିବାକୁ ନେଇ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କଲା ସ୍ୱାମୀ । ମୃତ ସ୍ତ୍ରୀ ହେଲେ ଲିଲି ନାୟକ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ରୁଗୁମୁ ଗାଁରେ ଘଟିଛି ଏପରି ହୃଦୟବିଦାରକ ଘଟଣା । ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି । ସ୍ୱାମୀକୁ ଅଟକ ରଖିଛି ପୋଲିସ ।
ସୂଚନା ଅନୁସାରେ, ସ୍ତ୍ରୀକୁ କାଠ ଚୁଲାରେ ରୋଷେଇ କରିବାକୁ ସ୍ୱାମୀ କହିଥିଲେ । କିନ୍ତୁ ସ୍ତ୍ରୀ ଗ୍ୟାସରେ ରୋଷେଇ କରିବାରୁ ଦମ୍ପତ୍ତିଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ପରେ ଝଗଡ଼ା ଉଗ୍ର ରୂପ ନେଇଥିଲା । ଏହା ପରେ ଲିଲି ରାଗି ଘରୁ ପଳାଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ମିଥୁନ୍ ଏକ ଧାରୁଆ କଟୁରୀରେ ଲିଲିଙ୍କୁ ଆକ୍ରମଣ କରିଥିଲେ। ଚିତ୍କାର ଶୁଣି ସାହି ଭାଇ ଲିଲିଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଧରାକୋଟ ମେଡ଼ିକାଲ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ସେପଟେ ଅଭିଯୁକ୍ତ ମିଥୁନ୍କୁ ଅଟକ ରଖିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିଛି ପୁଲିସ୍।