ଭୁବନେଶ୍ୱର: ବୁଲିଲା ବୁଲଡୋଜର, ଆଖି ପିଛୁଳାକେ ମାଟିରେ ମିଶିଲା 100ରୁ ଉର୍ଦ୍ଧ୍ୱ ଘର। ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ବଡ଼ଧରଣର ଜବର ଦଖଲ ଉଛେଦ ଚାଲିଛି। BDA ପକ୍ଷରୁ ହେଉଛି ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ପ୍ରାୟ ୬୮ ଏକର ଜମିରୁ ଚାଲିଛି ଜବରଦଖଲ ଉଚ୍ଛେଦ । ଜବରଦଖଲ ଉଚ୍ଛେଦ ପାଇଁ କମିଶନରେଟ ପୋଲିସ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । BDA ର ୧୫୦ଜଣିଆ ଟିମ୍ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହି ସରକାରୀ ଜାଗାକୁ ଦୀର୍ଘ ବର୍ଷ ହେବ ଜବରଦଖଲ କରି ମାଡ଼ି ବସିବା ସହ ବହୁ ସ୍ଥାୟୀ ନିର୍ମାଣ ବି କରାଯାଇଛି। ମାତ୍ର ଏବେ ଆକ୍ସନ ମୁଡକୁ ଆସିଛି ବିଡିଏ। ଆଜିଠୁ ୩ ଦିନ ଧରି ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିବ ।
ତେବେ ସବୁଠୁ ବଡ଼ କଥା ହେଉଛି କି, ଏହି ଉଚ୍ଛେଦ ସମୟରେ ଏକ ଘରୁ ବିପୁଳ ପରିମାଣର ସିଲିଣ୍ଡର ଜବତ ହୋଇଛି । ଗ୍ୟାସ୍ ସିଲିଣ୍ଡର ସଂପର୍କରେ ଘର ମାଲିକଙ୍କୁ ପଚାରିବାରୁ, ସେ ଜବତ ସିଲିଣ୍ଡର ସଂପର୍କରେ ସଠିକ୍ ଉତ୍ତର ଦେଇପାରି ନାହାନ୍ତି । ଜବତ ହୋଇଥିବା ସିଲିଣ୍ଡର ମଧ୍ୟରେ କେତେକ ୧୪ କେଜିଆ ରହିଥିବା ବେଳେ ଅନେକ ୫କେଜିଆ ରହିଛି । ତେବେ କିଏ ଓ କାହିଁକି ଏତେ ପରିମାଣର ସିଲିଣ୍ଡର ଘରେ ଆଣି ରଖିଥିଲା । ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।