ଆଜିଠୁ ଶ୍ରୀମନ୍ଦିରରେ ପଞ୍ଚୁକ ନୀତି ଆରମ୍ଭ: ‘ଲକ୍ଷ୍ମୀ-ନାରାୟଣ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆଜିଠାରୁ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି। ହରି ଉତ୍ଥାପନ ଏକାଦଶୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ଲକ୍ଷ୍ମୀ-ନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ଅବସରରେ ପୁରୀରେ ହଜାର ହଜାର ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। 

ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ସମ୍ପନ୍ନ କରାଯାଉଛି। ଲକ୍ଷ୍ମୀ-ନାରାୟଣ ବେଶ ବା ଠିଆକିଆ ବେଶରେ ରତ୍ନବେଦୀରେ ମହାପ୍ରଭୁ ସଜ୍ଜିତ ହୋଇଛନ୍ତି। ତେବେ ଏ ବର୍ଷ ତିଥି କ୍ଷୟ ଯୋଗୁଁ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ କରାଯାଉଛି। ଏହି କାରଣରୁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ବଙ୍କାଚୁଡ଼ା ବେଶ ଦର୍ଶନରୁ ବଞ୍ଚିତ ହେବେ। 

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଶ୍ରଦ୍ଧାଳୁମାନେ ମାର୍କେଟ ଛକରୁ ବାରିକେଡ୍ ଦେଇ ସିଂହଦ୍ୱାର ପର୍ଯ୍ୟନ୍ତ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। 

କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଇଁ ପୁରୀ ସମୁଦ୍ର କୂଳରେ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି। ସମୁଦ୍ରରେ କୌଣସି ଅଘଟଣକୁ ରୋକିବା ପାଇଁ ଲାଇଫଗାର୍ଡ, ଅଗ୍ନିଶମ ବାହିନୀ ଓ ପୋଲିସ ଟିମ୍ ମୁତୟନ ରହିବେ। ଶ୍ରଦ୍ଧାଳୁଙ୍କ ସୁବିଧା ଓ ନିରାପଦ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ଗ୍ରହଣ କରିଛି।

About The Author: Madhusudan Das