୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ ଲଘୁଚାପ : ୩ ଜିଲ୍ଲାକୁ ‘ରେଡ୍‌’ ଓ୍ଵାର୍ଣ୍ଣିଂ ସମେତ ୨୩ ଜିଲ୍ଲାକୁ ଆଲର୍ଟ, ୧୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହୋଇଛି। ରବିବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସହ ଆଜି ସୋମବାର ସକାଳେ ମଧ୍ୟ ପ୍ରବଳ ବର୍ଷା ପ୍ରଭାବ ଦେଖିବାକୁ ମିଳିଛି। ବର୍ତ୍ତମାନର ସଦୃଶ୍ୟ ଲଘୁଚାପଟି ଆହୁରି ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଲଘୁଚାପଟି  ଅବପାତରେ ପରିଣତ ହୋଇ ସମଗ୍ର ଓଡିଶାର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ […]

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହୋଇଛି। ରବିବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସହ ଆଜି ସୋମବାର ସକାଳେ ମଧ୍ୟ ପ୍ରବଳ ବର୍ଷା ପ୍ରଭାବ ଦେଖିବାକୁ ମିଳିଛି। ବର୍ତ୍ତମାନର ସଦୃଶ୍ୟ ଲଘୁଚାପଟି ଆହୁରି ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଲଘୁଚାପଟି  ଅବପାତରେ ପରିଣତ ହୋଇ ସମଗ୍ର ଓଡିଶାର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।


ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ହେଉଛି। ଏହାସହିତ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ହେଉଛି। ତେଣୁ ହୀରାକୁଦରେ ଜଳସ୍ତର ବଢ଼ୁଥିବାରୁ ରବିବାରଠାରୁ ପୁଣି ହୀରାକୁଦରୁ ୨ ଟି ଗେଟ୍‍ ଖୋଲାଯାଇଛି। ଯାହାପରେ ରାଜ୍ୟର ଅଧିକାଂଶ ନଦୀ ଫୁଲିବାର ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପଟେ ଲଘୁଚାପର ପ୍ରଭାବକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୯ ତାରିଖ ମଙ୍ଗଳବାର ସୁଦ୍ଧା ଓଡିଶାର ଗଜପତି, ଗଂଜାମ ଓ କନ୍ଧମାଳ ପ୍ରଭୃତି ୩ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ତିନି ଜିଲ୍ଲାକୁ ‘ରେଡ୍‌’ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।


ସେହିପରି ଖୋର୍ଦ୍ଧା, ପୁରୀ, ନୟାଗଡ଼, ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ୮ଟି ଜିଲ୍ଲାଗୁଡ଼ିକୁ ‘ଅରେଞ୍ଜ’  ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଲ, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ପ୍ରଭୃତି ୧୨ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ଏହି ସମସ୍ତ ୧୨ଟି ଜିଲ୍ଲା ପାଇଁ ‘ୟେଲୋ’ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ବୋଲି ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଲଘୁଚାପ ପ୍ରଭାବରେ ୧୨ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ।ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଭୁବନେଶ୍ୱରର କିଛି ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ଓ କଟକର କିଛି ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ହୋଇପାରେ। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଉଥିବାରୁ ସମୁଦ୍ର ଅଶାନ୍ତ ରହିବ। ଏଣୁ ୧୧ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

About The Author: The Sakala