ଭୁବନେଶ୍ୱର ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ଲଘୁଚାପରେ ପରିଣତ ହୋଇଛି। ଏଥିସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ୭ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ବରଗଡ଼।
ଉପରୋକ୍ତ ଜିଲ୍ଲା ଗୁଡ଼ିକର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଅପରପକ୍ଷରେ ବଲାଙ୍ଗୀର, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର,ସମ୍ବଲପୁର, ସୋନପୁର, ବୌଦ୍ଧ ଓ କଳାହାଣ୍ଡି ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୦ରୁ ୧୪ ତାରିଖ ଯାଏ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ୧୧ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର ଓ ବରଗଡ଼ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅତି ପ୍ରବଳ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ମାଟି ଧସିପାରେ। ସେହିପରି ତଳିଆ ଅଞ୍ଚଳ ବର୍ଷାଜଳ ଦ୍ୱାରା ଜଳାର୍ଣ୍ଣବ ହେବାର ଆଶଙ୍କା କରାଯାଇଛି। ଲଘୁଚାପ ଯୋଗୁ ଉପକୂଳରେ ଘଣ୍ଟା ପିଛା ୪୦ରୁ ୫୦ କି.ମି. ବେଗରେ ପବନ ବହିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୩ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହିତ ଜିଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମୌସୁମୀ ସକ୍ରିୟ ରହିଥିବାରୁ ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।