ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗପୋସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୧୬ରୁ ୧୯ ତାରିଖ ଆଗାମୀ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଏବଂ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏପରିକି ଏହାର ପରବର୍ତ୍ତୀ ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢ଼଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରୀ କରାଯାଇଛି।
କେନ୍ଦ୍ର ପକ୍ଷରୁ ଜାରୀ ସୂଚନା ଅନୁଯାୟୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ ଘୁର୍ଣ୍ଣିବଳୟ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡ଼ିଶା ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ମଧ୍ୟଦେଇ ଗତି କରିବାରେ ସମ୍ଭାବନା ରହିଛି। ଅପରପକ୍ଷେ ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବଢ଼଼ିବ। ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଅନୁଯାୟୀ ୧୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାଲକାନଗିରି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କକରାଯାଇଛି। ସେହିପରି ୧୭ ତାରିଖରେ ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହିପରି କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ୫ଟା ୩୦ ମିନିଟ ସୁଦ୍ଧା ଭଦ୍ରକ ସହରରେ ୧୬୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜଗତସିଂହପୁରରେ ୧୩୨.୬ ମିଲିମିଟର, ଝାରସୁଗୁଡାରେ ୧୨୧ ମିମି, ଚାନ୍ଦବାଲିରେ ୮୦.୬ମିମି, ଭୁବନେଶ୍ୱରରେ ୪୬.୪ ମିମି, ବାଲେଶ୍ୱରରେ ୨୩.୩ ମିମି, ପାରାଦୀପରେ ୧୫.୬ ମିମି, ଗୋପାଳପୁରରେ ୫.୪ ମିମି, କେନ୍ଦୁଝରରେ ୮.୬ ମିମି, ପୁରୀରେ ୧୫.୮ମିମି, ସମ୍ୱଲପୁରରେ ୧୫.୪ ମିମି ବର୍ଷା ରେକର୍ଡ କରାଯାଇଛି।
ଅନ୍ୟପକ୍ଷରେ ରାଜ୍ୟରେ ଆଗାମୀ ୪ ଦିନ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଏସଆରସି(ସ୍ୱତନ୍ତ୍ର ରିଲିଫ୍ କମିଶନର)ଙ୍କ କାର୍ଯ୍ୟାଳୟ ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅରେଞ୍ଜ ଓ ୟୋଲେ ୱାର୍ଣ୍ଣିଂ ସୂଚିତ ଜିଲ୍ଲାମାନଙ୍କର ପ୍ରଶାସନିକ ବିଭାଗମାନେ ଯେକୌଣସି ସମ୍ଭାବ୍ୟ ପରିସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତ ହୋଇ ରହିବାକୁ ଏସଆରସି ସତ୍ୟବ୍ରତ ସାହୁ ମରାମର୍ଶ ଦେଇଛନ୍ତି।
ଏନେଇ ଶ୍ରୀ ସାହୁ ଗତକାଲି ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷା ସ୍ଥିତି ନେଇ ଅବଗତ କରାଯଇଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସମ୍ଭାବ୍ୟ ଅଚାନକ ବନ୍ୟା/ ଜଳବନ୍ଦି ସମସ୍ୟା ଯୋଗୁଁ ବିପଦଶଙ୍କୁଳ ସ୍ଥାନମାନଙ୍କରେ କ୍ଷେତ୍ର ସ୍ତରର ଅଧିକାରୀମାନେ ଆଗୁଆ ପ୍ରସ୍ତୁତ ରହି ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବେ। ସେମାନେ ହେଡକ୍ୱାର୍ଟର ଛାଡି ଯିବେ ନାହିଁ। କେତେକ ସହରାଞ୍ଚଳରେ ତଳିଆ ସ୍ଥାନରେ ପ୍ରବଳ ବର୍ଷା କାରଣରୁ ଜଳବନ୍ଦି ସମସ୍ୟା ଉପୁଯିପାରେ ଏବଂ ରାସ୍ତା ଓ ଡ୍ରେନ ଜଳମଗ୍ନ ହୋଇପାରେ। ଏପରିସ୍ଥଳେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅସ୍ଥାୟୀ ସ୍ଥାନାନ୍ତର କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ପୌରସଂସ୍ଥାଗୁଡ଼ିକ ଡ୍ରେନଗୁଡ଼ିକରେ ଜଳନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ। ଯେଉଁଠି ଆବଶ୍ୟକ ପଡ଼ିବ ଆବଶ୍ୟକୀୟ ସଂଖ୍ୟକ ପମ୍ପ ରଖି ଜଳ ନିଷ୍କାସନ କରାଇବା ସହ ଜଳମଗ୍ନ ରାସ୍ତାରେ ଗାଡି ଚଳାଚଳକୁ ନିୟନ୍ତ୍ରିତ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି। ସେହିପରି କୌଣସି ସ୍ଥାନରେ ପ୍ରବଳ ବୃଷ୍ଟିପାତର ବିବରଣୀ ତତକ୍ଷଣାତ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ରକୁ ଜଣାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।