ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହ ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ତେବେ ଅବିଭକ୍ତ କୋରାପୁଟ, ଅବିଭକ୍ତ ଗଞ୍ଜାମ ଜିଲ୍ଳାରେ ବର୍ଷାର ପ୍ରକୋପ ସବୁଠୁ ଅଧିକ ଅନୁଭୂତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣିଚାଲିବା ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଏଥିପାଇଁ ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସ୍ଆରସି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ପାଣିଚାଲୁଥିବା ରାସ୍ତାରେ ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଇବା ଓ ଆବଶ୍ୟକସ୍ଥଳେ ପୁଲିସ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁନଶ୍ଚ ଜରୁରୀ ପରିସ୍ଥିତିରେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଅନ୍ୟ ଜିଲ୍ଲାପାଳମାନେ ମଧ୍ୟ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବାକୁ ଏସ୍ଆରସି ପରାମର୍ଶ ଦେଇଛନ୍ତି।
ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। କାଲିମେଳା ବ୍ଲକର କାଙ୍ଗୁରୁକୋଣ୍ଡା ଓ ଏମ୍ଭି ୯୬ ପୋଲ ଉପରେ ୩ ଫୁଟ୍ରୁ ଊର୍ଦ୍ଧ୍ବ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଏପରି ସ୍ଥିତି ଦେଖାଦେଇଛି। ପୋଲର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି। ତେବେ ଏପରି ବର୍ଷା ଜାରି ରହିଲେ ଅନ୍ୟ ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବାର ଭୟ ଥିବା ବେଳେ ସ୍ଥାନୀୟ ପ୍ରଶାସନ ଏଥିପାଇଁ ସଜାଗ ଥିବାର ଜଣାପଡ଼ିଛି।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି ଯେ, ଉତ୍ତର ପଶ୍ଚିମ ଏବଂ ତତ୍ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଏହା ଗୋପାଳପୁରଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହାର ଗତି ଉତ୍ତର ପଶ୍ଚିମ ମୁହାଁ ହେବା ସମ୍ଭାବନା ଥିବା ବେଳେ ଶନିବାର ପୂର୍ବାହ୍ଣ ସୁଦ୍ଧା ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ରାଜ୍ୟର ଉପକୂଳ, ଦକ୍ଷିଣ ଏବଂ ପଶ୍ଚିମ ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଶୁକ୍ରବାର ରାତିରୁ ଉପକୂଳ, ଉତ୍ତର ଏବଂ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ମଙ୍ଗଳବାର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିବ ବୋଲି ସିଇସି ବୁଲେଟିନ୍ରେ କୁହାଯାଇଛି।
ଅନ୍ୟପଟେ ଆସନ୍ତା ମଙ୍ଗଳବାର ଉତ୍ତର ଓଡ଼ିଶା ଏବଂ ଝାଡଖଣ୍ଡ ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା କାରଣରୁ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ତଥା ମହାନଦୀ, ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଶନିବାର କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ୭-୧୧ ସେମି ବର୍ଷା ଆଶଙ୍କା କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ସେହିପରି ବରଗଡ଼, ସୋନପୁର, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର ଓ ବାଲେଶ୍ୱରରେ ପ୍ରବଳ ବର୍ଷା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୂଚନା ଥାଉ କି ଗତ ୩୬ ଘଣ୍ଟାରେ ମାଲକାନଗିରିରେ ୯୨ ମିମି ବର୍ଷା ହୋଇଥିବା ବେଳେ ନୟାଗଡ଼ରେ ୮୨, କୋରାପୁଟ ୬୨, ଢେଙ୍କାନାଳ ୫୮, ଛତ୍ରପୁର ୫୬, ଗୋପାଳପୁର ୫୩, ଭଦ୍ରକ ୩୩ ଓ ବାଲେଶ୍ୱରରେ ୩୦ ମିମି ବର୍ଷା ହୋଇଛି।