ସାରା ରାଜ୍ୟରେ ନିଆଁ ବର୍ଷା ଖରା, ୨୦ ଯାଏଁ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ୱର: ଗତ କିଛିଦିନ ହେବ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଓଡ଼ିଶାବାସୀ ସନ୍ତୁଳି ହୋଇଛନ୍ତି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଆକାଶରୁ ନିଆଁ ବର୍ଷିଥିବା ବେଳେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ତାତି ଲୋଙ୍କୁ କଲବଲ କରିଛି। କେବଳ ପଶ୍ଚିମ ଓଡ଼ିଶାର ୯ ସହରର ତାପମାତ୍ରା ୪୪ ଡିଗ୍ରୀ ପାର୍‌‌ କରିଥିବ ବେଳେ ମୋଟାମୋଟି ଭାବେ ରାଜ୍ୟର ୨୯ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ତେବେ ଆଗାମୀ ୩ ଦିନ ଯାଏଁ […]

ଭୁବନେଶ୍ୱର: ଗତ କିଛିଦିନ ହେବ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଓଡ଼ିଶାବାସୀ ସନ୍ତୁଳି ହୋଇଛନ୍ତି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଆକାଶରୁ ନିଆଁ ବର୍ଷିଥିବା ବେଳେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ତାତି ଲୋଙ୍କୁ କଲବଲ କରିଛି। କେବଳ ପଶ୍ଚିମ ଓଡ଼ିଶାର ୯ ସହରର ତାପମାତ୍ରା ୪୪ ଡିଗ୍ରୀ ପାର୍‌‌ କରିଥିବ ବେଳେ ମୋଟାମୋଟି ଭାବେ ରାଜ୍ୟର ୨୯ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ତେବେ ଆଗାମୀ ୩ ଦିନ ଯାଏଁ ତାତି ଏବଂ ଗୁଳୁଗୁଳି କଲବଲ କରିବାକୁ ଥିବାବେଳେ ୨୧ ତାରିଖ ପରଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ୨୧ ତାରିଖରେ ରାଜ୍ୟବ୍ୟାପୀ ଅନେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବାବେଳେ ୨୧ ତାରିଖଠାରୁ ପରବର୍ତ୍ତୀ ୨-୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଯାହାଫଳରେ ତାତିରେ ଲୋକଙ୍କୁ ନିସ୍ତାର ମିଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପଶ୍ଚିମ ଓଡ଼ିଶାର ସୋନପୁର ସହରରେ ଗତକାଲି ସର୍ବାଧିକ ତାପମାତ୍ରା ୪୫.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୪୫.୬, ସମ୍ବଲପୁରରେ ୪୫.୪ ଡିଗ୍ରୀ, ହୀରାକୁଦରେ ୪୫.୧ ଡିଗ୍ରୀ ଏବଂ ବଲାଙ୍ଗୀରରେ ପାରଦ ୪୫ ଡିଗ୍ରୀ ଛୁଇଁଥିଲା। ସେହିପରି ଝାରସୁଗୁଡ଼ାରେ ପାରଦ ୪୪.୮ ଡିଗ୍ରୀ ଛୁଇଁଥିବା ବେଳେ ଅନୁଗୋଳରେ ୪୪.୭ ଡିଗ୍ରୀ, ନୟାଗଡ଼ ଓ ସୁନ୍ଦରଗଡ଼ରେ ୪୪.୫ ଡିଗ୍ରୀ, ବରଗଡ଼ରେ ୪୪.୪ ଡିଗ୍ରୀ, ଭୁବନେଶ୍ୱରରେ ୪୪.୩ ଡିଗ୍ରୀ ଓ ତାଳଚେରରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଢେଙ୍କନାଳ, ଟିଟିଲାଗଡ଼, ଖୋର୍ଦ୍ଧା, ରାଉରକେଲା, ନୂଆପଡ଼ା, ଦେବଗଡ଼, ବାରିପଦା, ଜଗତସିଂହପୁର, କଟକ, ଫୁଲବାଣୀ, ଭବାନୀପାଟଣା, କେନ୍ଦୁଝର, ଭଦ୍ରକ, ବ୍ରହ୍ମପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଛତ୍ରପୁରରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।

୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ୩ ଦିନ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ହିଟ୍‌‌ ୱେଭ ନେଇ ସତର୍କ କରାଯାଇଥିବା ବେଳେ ଏଥିପାଇଁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ୧୩ ଜିଲ୍ଲାକୁ ହିଟ୍‌‌ ୱେଭରୁ ସିଭିୟର ୱେଭ ହିଟ୍‌‌ ୱେଭ ଆଲର୍ଟ ଜାରି କରାଯାଇଥିବା ବେଳେ ଉପରୋକ୍ତ ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ଝାରସୁଗଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର,ବୌଦ୍ଧ, ଅନୁଗୋଳ, ଦେବଗଡ଼, କେନ୍ଦୁଝର, କଟକ, ନୟାଗଡ଼, ଖୋର୍ଦ୍ଧା ଓ ବଲାଙ୍ଗୀର। ସେହିପରି ୫ ଜିଲ୍ଲା ଯଥା ଢେଙ୍କାନାଳ, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ପାଇଁ ହିଟ୍‌‌ ୱେଭ ଆଲର୍ଟ ଜାରି କରାଯାଇଛି।

ରବିବାର ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ ଓ ଦେବଗଡ଼ରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି।

About The Author: The Sakala