ସରକାରଙ୍କୁ ‘ଆୟୁଷ୍ମାନ’ ଡର: କେନ୍ଦ୍ରୀୟ ଯୋଜନା ଲାଗୁହେଲେ କଟିଯିବେ କି ୬୦ ଲକ୍ଷ ହିତାଧିକାରୀ, ଭୟଙ୍କର ହୋଇପାେର ଅସନ୍ତୋଷ

ଭୁବନେଶ୍ବର: ଆୟୁଷ୍ମାନ ଯୋଜନାକୁ ନେଇ ଘୋର ଅଡ଼ୁଆରେ ପଡ଼ିଯାଇଛନ୍ତି ମୋହନ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର। ଏବେ ରାଜ୍ୟରେ ଚାଲିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ‌ ଯୋଜନା (ବିଏସ୍‌କେୱାଇ)ରେ ପ୍ରାୟ ୯୫ ଲକ୍ଷ ପରିବାର ଉପକୃତ ହେଉଛନ୍ତି। ଡାକ୍ତରଖାନାରେ ସେମାନେ ମାଗଣା ଚିକିତ୍ସା ସବୁିଧା ପାଉଛନ୍ତି। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଲେ ପ୍ରାୟ ୬୦ ଲକ୍ଷ ପରିବାର ମାଗଣା ଚିିକିତ୍ସା ସୁବିଧାରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ଏହାକୁ ନେଇ […]

ଭୁବନେଶ୍ବର: ଆୟୁଷ୍ମାନ ଯୋଜନାକୁ ନେଇ ଘୋର ଅଡ଼ୁଆରେ ପଡ଼ିଯାଇଛନ୍ତି ମୋହନ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର। ଏବେ ରାଜ୍ୟରେ ଚାଲିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ‌ ଯୋଜନା (ବିଏସ୍‌କେୱାଇ)ରେ ପ୍ରାୟ ୯୫ ଲକ୍ଷ ପରିବାର ଉପକୃତ ହେଉଛନ୍ତି। ଡାକ୍ତରଖାନାରେ ସେମାନେ ମାଗଣା ଚିକିତ୍ସା ସବୁିଧା ପାଉଛନ୍ତି। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଲେ ପ୍ରାୟ ୬୦ ଲକ୍ଷ ପରିବାର ମାଗଣା ଚିିକିତ୍ସା ସୁବିଧାରୁ ବଞ୍ଚିତ ହେବାର ଆଶଙ୍କା ରହିଛି।

ଏହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାର ଭୟ ଥିବାରୁ ରାଜ୍ୟ ସରକାର ଏହାକୁ ଟାଳିବାରେ ଲାଗିଛନ୍ତି। ଗତ ନିର୍ବାଚନ ବେଳେ ବି‌ଜେପି ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଦଳ କ୍ଷମତାକୁ ଆସିଲେ ଶ॥େହ ଦିନ ଭିତରେ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରାଯିବ। କିନ୍ତୁ ଇତିମଧ୍ୟରେ ୧୩୦ରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଦିନ ଗଡ଼ାଇବାରେ ଲାଗିଛନ୍ତି। ଏପରିକି ଗତ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଆୟୁଷ୍ମାନ-୨ର ଶୁଭାରମ୍ଭ କରିବା ଅବସରରେ ଓଡ଼ିଶାରେ ମଧ୍ୟ ଏହାକୁ ଲାଗୁ କରାଯିବ ବୋଲି ନିଜେ ସ୍ବାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ଏମିତି କିଛି ‌େହଲାନାହିଁ। ଓଲଟା ମନ୍ତ୍ରୀ ସଫେଇ ଦେଲେ ଯେ ଆସନ୍ତା ଆର୍ଥିକ ବର୍ଷରୁ ଏହାକୁ ଲାଗୁ କରାଯିବ। ଆଗରୁ ବିଏସ୍‌କେୱାଇ ଯେମିତି ଚାଲିଥିଲା, ଏବେ ସେମିତି ଚାଲିବ। ଆସନ୍ତାବର୍ଷ ମାର୍ଚ୍ଚ ପରେ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ।

ଅଗଷ୍ଟ ୨୦୧୮ରୁ ରାଜ୍ୟରେ ଆରମ୍ଭ ହୋଇଥିବା ବିଏସ୍‌କେୱାଇ ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ଉଭୟ ଏପିଏଲ ଏବଂ ବିପିଏଲ ପରିବାରକୁ ମାଗଣା ଚିକିତ୍ସା ସୁବିଧା ଦିଆଯାଉଛି। ତେବେ ସରକାରଙ୍କ ସହିତ ଚୁକ୍ତିବଦ୍ଧ ହୋଇଥିବା ଘରୋଇ ଡାକ୍ତରଖାନାରେ କେବଳ ବିପିଏଲ ପରିବାରକୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ଗୋଟିଏ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଦିଆଯାଉଛି। ମହିଳାଙ୍କ ପାଇଁ ଏହି ଖର୍ଚ୍ଚ ସୀମା ୧୦ ଲକ୍ଷ ଟଙ୍କା ରଖାଯାଇଛି। ଏଥିରେ କର୍କଟ, ହୃଦ୍‌ରୋଗ ଏବଂ କିଡନୀ ଭଳି ଗୁରୁତର ରୋଗର ଚିକତ୍ସାକୁ ସାମିଲ କରାଯାଇଛି। ଏହି ସୁବିଧା ହାସଲ କରିବା ଲାଗି ପରିବାରକୁ ବିଏସ୍‌କେୱାଇ କାର୍ଡ ଦିଆଯାଇଛି। ଯେଉଁମାନଙ୍କ ପାଖରେ ବିଏସ୍‌କେୱାଇ କାର୍ଡ ନାହିଁ, ସେମାନେ ରାସନ କାର୍ଡ ଦେଖାଇ ମାଗଣା ଚିକିତ୍ସା ସୁବିଧା ପାଇପାରୁଛନ୍ତି। ଏଥିରେ ବୟସର କୌଣସି ସୀମା ମଧ୍ୟ ନାହିଁ।

ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବାଲାଗି ଯେଉଁ ସର୍ତ୍ତ ରଖାଯାଇଛି ସେଥିରେ ଲକ୍ଷ ଲକ୍ଷ ପରିବାର ମାଗଣା ଚିକିତ୍ସା ସେବାରୁ ବଞ୍ଚିତ ହୋଇଯିବେ। ଯାହା ଘରେ ଫ୍ରିଜ କିମ୍ବା ଟୁ ହ୍ବିଲର/ଥ୍ରୀ ହ୍ବିଲର/ଫୋର ହ୍ବିଲର ଗାଡ଼ି ଥିବ ସେମାନେ ଏଥିରେ ସାମିଲ ହୋଇପାରିବେ ନାହିଁ। ବିଏସ୍‌କେୱାଇରେ ଉଭୟ ବିପିଏଲ ଏବଂ ଏପିଏଲ ପରିବାରକୁ ମାଗଣା ଚିକିତ୍ସା ସୁବିଧା ମିଳୁଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନାରେ କେବଳ ବିପିଏଲ୍ ବା ଅର୍ଥନୈତିକ ଦୃଷ୍ଟିକୋଣରୁ ଦୁର୍ବଳ ଶ୍ରେଣୀର ପରିବାରକୁ ମାଗଣା ଚିକିତ୍ସାର ସୁବିଧା ମିଳିବ। ଏଭଳି ସର୍ତ୍ତ ରହିଲେ ମାତ୍ର ୩୩ ଲକ୍ଷ ପରିବାରକୁ ଏହି ସୁବିଧା ମିଳିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଅର୍ଥାତ୍ ୬୦ ଲକ୍ଷ ପରିବାର ମାଗଣା ଚିକିତ୍ସାରୁ ବଞ୍ଚିତ ହେବେ। କେବଳ ଏତକି ନୁହେଁ, ୨୦୧୮ ସେପ୍ଟେମ୍ବରରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନାରେ ପରିବାର ପିଛା ମାଗଣା ଚିକିତ୍ସା ଖର୍ଚ୍ଚକୁ ୫ ଲକ୍ଷରେ ସୀମିତ ରଖାଯାଇଛି। ବିଏସ୍‌କେୱାଇରେ ମହିଳାମାନଙ୍କ ଲାଗି ୧୦ ଲକ୍ଷ ଟଙ୍କାର ଯେଉଁ ସ୍ବତନ୍ତ୍ର ଚିକିତ୍ସା ସୁବିଧା ରହିଛି ତାହା ଆୟୁଷ୍ମାନ ଭାରତ ଯୋଜନାରେ ନାହିଁ।

ଏଭଳି ପରିସ୍ଥିତିରେ ବିଏସ୍‌କେୱାଇ ବଦଳରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରାଗଲେ ହିତାଧିକାରୀମାନଙ୍କ ମଧ୍ୟରେ ଭୟଙ୍କର ପ୍ରତିକ୍ରିୟା ପ୍ରକାଶ ପାଇବାର ଆଶଙ୍କା ରହିଛି। ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ପଟୁ ଚାପ ପଡ଼ୁଥିବା ବେଳେ ବିଏସ୍‌କେୱାଇ ହିତାଧିକାରୀଙ୍କ ଅସନ୍ତୋଷ ଭୟରେ ଆଗେଇ ପାରୁ ନାହାନ୍ତି ରାଜ୍ୟ ସରକାର। ନିର୍ବାଚନ ପ୍ରଚାର ବେଳେ ଆୟୁଷ୍ମାନ ଯୋଜନା ନେଇ ବଡ଼ ବଡ଼ କଥା କହିଥିବା ବିେଜପି ନେତାମାନେ ଏବେ ଅକଡ଼ରେ ପଡ଼ିଯାଇଛନ୍ତି। କେବଳ ବିଏସ୍‌କେୱାଇ ନାମ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ପରିବର୍ତ୍ତନ କରି ବସିଯାଇଛନ୍ତି, ଏହାକୁ ହଟାଇ ଆୟୁଷ୍ମାନ ଯୋଜନା କେମିତି କାର୍ଯ୍ୟକାରୀ କରିବେ, ତାହାର ବାଟ ପାଉ ନାହାନ୍ତି।

About The Author: The Sakala