ଭଞ୍ଜନଗର(ଜୟକୃଷ୍ଣ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାର ଭଞ୍ଜ ମାଟି ନିଜ ସ୍ୱତନ୍ତ୍ରତା ଯୋଗୁଁ କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଗାଥାକୁ ଆଜି ମଧ୍ୟ ବିଶ୍ୱ ଦରବାରରେ ବଜାୟ ରଖିଛି । ଯାହାକୁ ନେଇ ଏ ମାଟି ଆଜି ଗର୍ବିତ । ନିଜର ଉତ୍କର୍ଷତା ଲାଗି ଦେଶ ବିଦେଶରେ ଏହାର ବହୁ ସୁନାମ ରହିଛି । ସଂଘର୍ଷମୟ ଜୀବନରେ ପୁରାତନ କଳାକୁ ବଞ୍ଚାଇ ରଖି ଆଜିବି ବହୁତ କଳାକାର ଏଠାରେ ରହିଛନ୍ତି ।
ଭଞ୍ଜନଗର ନିକଟରେ ଥିବା ବଡ଼ କୋଦଣ୍ଡା ହେଉଛି ଲୋକକଳା ଓ ଐତିହ୍ୟ ସମ୍ପନ୍ନ କଳାକାରଙ୍କ ଗ୍ରାମ । କେଉଁ ଆବହମାନ କାଳରୁ ଏଠାକାର କଳାକାରମାନେ ଲୋକକଳା,ପଶୁମୁଖା ନୃତ୍ୟ, କଣ୍ଢେଇ ନାଚକୁ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଦର୍ଶନ କରି ଗ୍ରାମ ପାଇଁ ଗୌରବ ଆଣିଛନ୍ତି । ଶହ ଶହ ବର୍ଷ ଧରି କାର୍ତ୍ତିକ ପୂର୍ଣ୍ଣିମା ଦିନ ବଡ଼ କୋଦଣ୍ଡା ଗ୍ରାମରେ ବିଶ୍ୱ ପ୍ରସିଦ୍ଧ ଡେରାବେଶ ପ୍ରଦର୍ଶିତ ହୋଇ ଆସୁଛି । ପୂର୍ବ ଦିନ ରାତ୍ରୀ ଠାରୁ ଗ୍ରାମ ବଡଦାଣ୍ଡର ଉଭୟ ପାଶ୍ୱର୍ରେ ଅବସ୍ଥିତ ଶ୍ରୀଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଶ୍ରୀ ଗୋପୀନାଥ ମନ୍ଦିର ତରଫରୁ କଳାକାର ଓ କାରିଗରମାନେ ବେଶ ଗୁଡିକୁ ଆଖଡା ଘରୁ ବାହାର କରି ସେଗୁଡିକ କାଠ, ବାଉଁଶ ସାହାଯ୍ୟରେ ଡେରିବା ଆରମ୍ଭ କରିଥାନ୍ତି । ଏହି ବେଶ ଗୁଡିକ ସମ୍ପୂର୍ଣ୍ଣ ଭାବେ ପ୍ରଦର୍ଶିତ ହେବା ପାଇଁ ସେସବୁକୁ ଅନ୍ୟ ଉପରେ ଡେରା ଯାଉଥିବାରୁ ତାହାକୁ ‘ଡେରା ବେଶ’ ବୋଲି କୁହାଯାଏ ।ଏହାକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳ ସମେତ ରାଜ୍ୟ ଓ ରାଜ୍ୟ ବାହାରର ବହୁ ଶ୍ରଦ୍ଧାଳୁ ଏହି ମନ୍ଦିର ମାଳିନୀ ଗ୍ରାମକୁ ଆସି ଦେବ ଦର୍ଶନ କରିବା ସହ କଳା,ସଂସ୍କୃତି ଓ ଐତିହ୍ୟକୁ ଉପଭୋଗ କରି ଡେରାବେଶ ବୁଲି ଦେଖିଥାନ୍ତି ।ଏହି ସବୁ ବେଶ ପ୍ରସ୍ତୁତ କରିବା ପାଇଁ କାରୀଗରମାନେ ବାଉଁଶ, ବେତ, କାଠ,କାଗଜ ,ଅଠା, ରଙ୍ଗୀନ୍ କପଡା,ଛୋଟ କାଚ ଦର୍ପଣ,ରଙ୍ଗ ବେରଙ୍ଗର ମାଳି,ପୋହଳା ଆଦିରେ ତିଆରି ହାତୀ,ଘୋଡା, ବାଘ, ସିଂହ,ନବଗୁଞ୍ଜର, କଳଘୋଡା, ବୃଷଭ,ରାମ, ଲକ୍ଷ୍ମଣ, ହନୁମାନ, ରାବଣ, ଇନ୍ଦ୍ରଜିତ,ମେଘନାଦ, ରାଜା,ରାଣୀ,ମୟୁର ଭଳି ବଡ ବଡ କଣ୍ଢେଇ ମୂର୍ତ୍ତି ଶଗଡ ଉପରେ ରଖି ସର୍ବସାଧରଣଙ୍କ ନିମିତ୍ତ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରଦର୍ଶନ କରିବାର ପରମ୍ପରା ରହିଛି ।
ସେହିପରି ବଡକୋଦଣ୍ଡା ଗ୍ରାମର ଅନ୍ୟ ଏକ ପରିଚୟ ହେଉଛି ଏହା ସୂତା କଣ୍ଢେଇ ନାଚର ଏନ୍ତୁଡି ଶାଳ । ଏଠାକାର କାରିଗର ଓ କଳାକାରଙ୍କ ପ୍ରଚେଷ୍ଟାରେ ଏପରି ଏକ ଲୋକକଳା ବଞ୍ଚି ରହିଛି ବୋଲି ବାସ୍ତୁଶାସ୍ତ୍ରବିଦ୍ ତଥା କଣ୍ଢେଇ ଗବେଷକ ଓ ସଂଗ୍ରାହକ ଡକ୍ଟର ସନ୍ନାସୀ ମହାରଣା ଏବଂ ଅନ୍ୟମାନେ ମତବ୍ୟକ୍ତ କରିଛନ୍ତି ।