Viral Video: ବିଡିଓଙ୍କ ଦବଙ୍ଗଗିରି: ସରପଞ୍ଚଙ୍କ ସ୍ୱାମୀଙ୍କୁ ଅଫିସରୁ ତଡିଲେ, କହିଲେ- 'ରାସ୍କେଲ୍, ଗେଟ୍ ଆଉଟ୍‌'

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଜଣେ ସରକାରୀ ଅଧିକାରୀଙ୍କ ଦବଙ୍ଗଗିରି ଘଟଣା ସାମ୍ନାକୁ ଆସିଛି। ବ୍ଲକର ବିଡିଓ ମୌଳଭଞ୍ଜା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟର ବିଲ୍ ବିଷୟରେ ଆଲୋଚନା କରିବାକୁ ଯାଇଥିବା ବେଳେ ବିଡିଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅଫିସରୁ ବାହାର କରିଦେଇଥିବା ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

'ନନସେନ୍ସ', 'ରାସ୍କେଲ' କହି ତଡିଦେଲେ

ସୂଚନା ଅନୁଯାୟୀ, ମୌଳଭଞ୍ଜା ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ବିଲ୍ ଗତ ତିନି ବର୍ଷ ହେଲା ପଡ଼ିରହିଛି। ଏନେଇ ସରପଞ୍ଚଙ୍କ ପ୍ରତିନିଧି ଭାବେ ତାଙ୍କ ସ୍ୱାମୀ ବିଡିଓଙ୍କ ସହ କଥା ହେବାକୁ ଯାଇଥିଲେ। କିନ୍ତୁ ବିଡିଓ ତାଙ୍କ କଥା ଶୁଣିବା ବଦଳରେ ଓଲଟା ଗାଳିଗୁଲଜ ଆରମ୍ଭ କରିଦେଇଥିଲେ। 'ନନସେନ୍ସ', 'ରାସ୍କେଲ', 'ଗେଟ୍ ଆଉଟ୍' ଭଳି ଶବ୍ଦ ବ୍ୟବହାର କରି ତାଙ୍କୁ ଅଫିସରୁ ବାହାରି ଯିବାକୁ କହିଥିଲେ। ସରପଞ୍ଚଙ୍କ ସ୍ୱାମୀ ନିଜ ସୁରକ୍ଷା ପାଇଁ ଏହାର ଭିଡିଓ ରେକର୍ଡିଂ କରୁଥିବା ବେଳେ ବିଡିଓ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ କହି ମୋବାଇଲ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

ମହିଳା ସରପଞ୍ଚଙ୍କୁ ଅଣଦେଖା ଅଭିଯୋଗ

ଅନ୍ୟପଟେ ସରପଞ୍ଚ ଜଣେ ଅନୁସୂଚିତ ଜାତିର ମହିଳା ହୋଇଥିବାରୁ ବ୍ଲକ ପ୍ରଶାସନ ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି। ବିଲ୍ ପାସ୍ ପାଇଁ ଜେଇଙ୍କ ପାଖକୁ ଗଲେ ସେ ବିଡିଓଙ୍କ ପାଖକୁ ପଠାଉଛନ୍ତି ଏବଂ ବିଡିଓ ପୁଣି ଜେଇଙ୍କ ପାଖକୁ ଫେରାଉଛନ୍ତି। ଏଭଳି ଟାଳଟୁଳ ନୀତି ଯୋଗୁଁ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ କରିଥିବା ଶ୍ରମିକ ଓ ଠିକାଦାରମାନେ ପାଉଣା ପାଇପାରୁ ନାହାନ୍ତି। ବିଡିଓଙ୍କ ଏଭଳି ଆଚରଣ ବିରୋଧରେ ନ୍ୟାୟ ପାଇଁ ସରପଞ୍ଚ ଓ ତାଙ୍କ ସ୍ୱାମୀ ବ୍ଲକ ଏବଂ ଜିଲ୍ଲା ସରପଞ୍ଚ ସଂଘର ଦ୍ୱାରସ୍ଥ ହୋଇଛନ୍ତି।

About The Author: Tapas Ranjan Nanda