ରଙ୍ଗେଇଲୁଣ୍ଡା: ୧୬ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ଗୋଳନ୍ଥରା ଥାନା ଅଧୀନସ୍ଥ ହରିପୁର ଛକରେ ଏକ ଦୁର୍ଘଟଣାଗ୍ରସ୍ତ ଇନୋଭା କାରରୁ ପୁଲିସ ଗଞ୍ଜେଇ ଜବତ କରିଛି। ସୂଚନାନୁସାରେ, ଆଜି (ଏମଏଚ-୧୫-ବିଏକ୍ସ-୪୭୩୧) ନମ୍ୱର ବିଶିଷ୍ଟ ଇନୋଭା କାର୍ ବ୍ରହ୍ମପୁରରୁ ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଗୋଳନ୍ଥରା ଥାନା ଅନ୍ତର୍ଗତ ହରିପୁର ଛକ ନିକଟରେ ଟାୟାର ଫାଟି ଭାରସାମ୍ୟ ହରାଇବାରୁ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ ଗୋଳନ୍ଥରା ଥାନା ପୁଲିସର ପେଟ୍ରୋଲିଂ ଗାଡ଼ିକୁ ଦେଖି ଚାଲାଣକାରୀମାନେ ଚମ୍ପଟ ମାରିଥିଲେ। ପୁଲିସ ସେଠାରେ ପହଞ୍ଚି ଗାଡ଼ିକୁ ଯାଞ୍ଚ କରିବା ବେଳେ ସେଥିରୁ ୧ କୁଇଣ୍ଟାଲ ୯୬ କେଜି ୬୦୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ହେବ। ଏନେଇ ଥାନା କେସ ନମ୍ୱର ୫୩/୨୨ରେ ମାମଲା ରୁଜୁ ହୋଇଛି। ଉକ୍ତ ଗାଡ଼ିଟି କେଉଁଠାରୁ ଆସିଛି ଓ କେଉଁଠାକୁ ଯିବ ଏବଂ ଚାଲାଣକାରୀଙ୍କ ସମ୍ପର୍କରେ ପୁଲିସ ତନାଘନା ଆରମ୍ଭ କରିଥିବା ଥାନାଧିକାରୀ ବିବେକା ନନ୍ଦ ମହନ୍ତ ସୂଚନା ଦେଇଛନ୍ତି।
ସୂଚନାଥାଉକି, ଗତ ୨୨ ତାରିଖରେ ଓଡ଼ିଶାରୁ ଝାରଖଣ୍ଡକୁ ଏକ କାର ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୋଳନ୍ଥରା ଥାନା ପୁଲିସ ୧୬ନଂ ଜାତୀୟ ରାଜପଥରେ ଗାଡ଼ିକୁ ଅଟକାଇ ଯାଞ୍ଚ କରି ୭୮ କେଜି ଗଞ୍ଜେଇ ଜବତ କରିଥିଲା। ଏଥିରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଦୁଇଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ।