ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଘଟିଛି ଅଘଟଣ । ନିଜ ସହପାଠୀ ଛାତ୍ରକୁ ମାରଣାସ୍ତ୍ରରେ ଆକ୍ରମଣ କଲେ ଛାତ୍ର। ଆହତ ଛାତ୍ର ଜଣକ ହେଲେ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟ ପୁର ଗ୍ରାମର ରାଜା ସେଠି। ଛାତ୍ରଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଛି। ଗୁରୁବାର +୨ କଳା ନିଜ କ୍ଲାସ ରୁମରେ ବସିଥିବା ସମୟରେଥିବା ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ୪ ଜଣ ଛାତ୍ର ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣିଥିବା ପଞ୍ଜା, ଖଣ୍ଡା, ଷ୍ଟିଲ ବଳାରେ ସହପାଠୀ ଛାତ୍ର ରାଜା ସେଠକୁ ଆକ୍ରମଣ କରିଥିଲେ। ଫଳରେ ଛାତ୍ରଙ୍କ ମୁଣ୍ଡ ଓ ପିଠିକୁ ଗଭୀର ଆଘାତ ଲାଗିଥିଲା। ଆହତ ଛାତ୍ରକୁ ଉଦ୍ଧାରକରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ପାଟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଡପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରି ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଆହତ ଛାତ୍ରର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଖବରପାଇ ପାଟପୁର ଥାନା ଏସଆଇ ଶୁଭଲକ୍ଷ୍ମି କହଁର ସଦଳବଳେ ପାଟପୁର କଲେଜରେ ପହଞ୍ଚି କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ସହ ଆହତ ଛାତ୍ରଙ୍କୁ ଭେଟିଛନ୍ତି।