ଶରତଙ୍କର ଯୋଗ୍ୟତା ଓ ଅଭିଜ୍ଞତା ଅଛି, ସେ ଦଳକୁ ମଜବୁତ କରିବା ସହ ଆଗେଇ ନେବେ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ ଶରତ ପଟ୍ଟନାୟକଙ୍କୁ ନବ ନିଯୁକ୍ତ ପିସିସି ସଭାପତି ବୋଲି ଘୋଷଣା କରାଯାଇଛି। ଏଥି ସହିତ ଦୀର୍ଘ ଦିନ ଧରି ପିସିସି ସଭାପତି କିଏ ହେବ ଏ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାର ଅନ୍ତ ଘଟିଛି। ଏଆଇସିସି ଆଜି ପିସିସି ସଭାପତି ଥିବା […]

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ ଶରତ ପଟ୍ଟନାୟକଙ୍କୁ ନବ ନିଯୁକ୍ତ ପିସିସି ସଭାପତି ବୋଲି ଘୋଷଣା କରାଯାଇଛି। ଏଥି ସହିତ ଦୀର୍ଘ ଦିନ ଧରି ପିସିସି ସଭାପତି କିଏ ହେବ ଏ ନେଇ ଯେଉଁ କଳ୍ପନା ଜଳ୍ପନା ଚାଲିଥିଲା ତାର ଅନ୍ତ ଘଟିଛି। ଏଆଇସିସି ଆଜି ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକ ଦେଇଥିବା ଇସ୍ତଫା ପତ୍ରକୁ ଗ୍ରହଣ କରିବା ସହ ଶରତ ପଟ୍ଟନାୟକଙ୍କ ନାଁ ନୂତନ ପିପିସି ସଭାପତି ଭାବେ ଘୋଷଣା କରିବା ପରେ ବିଦାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ କରିଛନ୍ତି ।

ପ୍ରେସମିଟ୍ କରି ବିଦାୟୀ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୋନିଆ ଓ ରାହୁଲଙ୍କୁ ଧନ୍ୟବାଦ ଦେବା ସହ କାମକରିବା ପାଇଁ ସୁଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ଓଡ଼ିଶା କଂଗ୍ରେସର ଅଧ୍ୟକ୍ଷ ଭାବେ କଂଗ୍ରେସ ଦଳର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ। ସେ କହିଛନ୍ତି, ମୋ ଦେହ ଖରାପ ଥିବାରୁ ମୁଁ ଇସ୍ତଫା ଦେଇଥିଲି, ଏଆଇସିସି  ଆଜି ଏହାକୁ ଗ୍ରହଣ କରିଛି । ଏହାସହ ସେ  ଆଶାପ୍ରକାଶ କରିଛନ୍ତି ଯେ  ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସ ନିଶ୍ଚିତ ଭଲ ପ୍ରଦର୍ଶନ କରିବ । ଶରତ ପଟ୍ଟନାୟକଙ୍କୁ ସେ ସବୁବେଳେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପିସିସି ସଭାପତି ଦାୟିତ୍ବ ନେବା ତାଙ୍କ ପାଇଁ ଏକ ଗୌରବର କଥା ଥିଲା । ତାଙ୍କ ଉପରେ ବିଶ୍ୱାସ ରଖି ଦାୟିତ୍ୱ ଦେଇଥିବାରୁ ସେ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ସହଯୋଗ ହାତ ବଢାଇଥିବା ଓଡ଼ିଶା ପ୍ରଭାରୀ ଚେଲା କୁମାର ଓ କେସି ବେଣି ଗୋପାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବରିଷ୍ଟ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ ସମୟ ଆଜିଛି କଂଗ୍ରେସର କର୍ମୀଙ୍କୁ ଏକାଠି ହେବାକୁ ପଡିବ। ବର୍ତ୍ତମାନ କଂଗ୍ରେସର ଭାଇମାନଙ୍କୁ ଏକାଠି କରିବାର ସମୟ ଆସିଛି। କେନ୍ଦ୍ର ସରକାରଙ୍କ ଜନମାରଣା ନୀତି ବିରୋଧରେ ସ୍ୱର ଉଠାଇବା ଦରକାର । କଂଗ୍ରେସର ବିଚାରଧାରାକୁ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପହଁଚାଇବାର ଆବଶ୍ୟତା ରହିଛି, ତେବେ ଯାଇଁ ଦଳ ଆଗକୁ ବଢିବ ବୋଲି କହିଛନ୍ତି ନିରଞ୍ଜନ । ଏଥି ସହିତ ନୂଅ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ସହ କହିଛନ୍ତି, ସେ ବୟସରେ ସାନ ହୋଇଥିଲେ ବି ଆଗରୁ କାମ କରିବାର ଅଭିଜ୍ଞତା ରହିଛି ।ମୋର ବିଶ୍ୱାସ ଶରତ କଂଗ୍ରେସ ଦଳକୁ ମଜବୁତ କରିବେ ଓ ଆଗେଇ ନେବେ। କିନ୍ତୁ ମୋର ଗୋଟେ ଅବଶୋଷ ରହିଗଲା ଯେପରି ଭାବେ କଂଗ୍ରେସକୁ ସୁଦୃଢ କରି କାମ କରିବା କଥା କରିହେଲାନି । ବର୍ତ୍ତମାନ ଦଳରେ ଶୃଙ୍ଖଳାର ଆବଶ୍ୟକତା ରହିଛି । କିଛିଦିନ ଧରି କଂଗ୍ରେସ ଭିତରେ ଯେଉଁ ଏକତା ଓ ଶୃଙ୍ଖଳା ଯେପରି ରହିବ କଥା ସେଟା ରହିଲା ନାହିଁ। ବର୍ତ୍ତମାନ ଏକଜୁଟ୍‌, ଏକମନ ହୋଇ କାମ କରିବାର ଆବଶ୍ୟକତା ଅଛି । ମୁଁ ଚାହୁଁଥିଲି ଅବ୍ୟାହତି ନେବାକୁ, ଏବେ ଖୁସି ଅଛି ମୋତେ ସେହି ଦାୟିତ୍ୱରୁ ମୁକ୍ତି ମିଳିଛି । ଅବ୍ୟାହତି ନେଲେ ବି ରାଜ୍ୟର ସ୍ୱାର୍ଥ ପାଇଁ ନିଶ୍ଚୟ ଲଢିବି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

About The Author: The Sakala