ଭୁବନେଶ୍ୱର: ବିଶିଷ୍ଟ ରାଜନେତା, ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ। ଦୀର୍ଘ ଦିନରୁ ସେ ଅସୁସ୍ଥ ରହିଥିବା ବେଳେ ଆଜି ଭବାନୀପାଟଣାସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ୧୨ ଏପ୍ରିଲ ୧୯୩୮ରେ ଜନ୍ମଗ୍ରହଣ କରିଥିବା ରାସବିହାରୀ ୧୯୭୭ ଓ ୧୯୮୫ରେ କୋକସରା ବିଧାନସଭା ଆସନରୁ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ। ସେ କୃଷି , ସମବାୟ ଓ ଆଦିବାସୀ ଉନ୍ନୟନ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇ ଥିଲେ ୧୯୮୦ରେ କଳାହାଣ୍ଡି ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଜଣେ ଦକ୍ଷ ସଂଗଠକ, ଅଭିଜ୍ଞ ରାଜନେତା ଓ ଜନପ୍ରିୟ ନେତା ଭାବେ ସମାଜ ପ୍ରତି ତାଙ୍କର ଅବଦାନ ସର୍ବଦା ଅତୁଳନୀୟ। ଜଣେ ଲେଖକ ଭାବରେ ସେ ଖ୍ୟାତି ଅର୍ଜନ କରିବା ସହ ଓଡିଶା ସାହିତ୍ୟ ଏକାଡ଼େମୀ ରୁ ପୁରସ୍କୃତ ହୋଇଥିଲେ।
ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଖେଳିଯାଇଛି ଶୋକର ଛାୟା। ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି- ରାସବିହାରୀ ବେହେରାଙ୍କ ଦେହାନ୍ତ ଖବର ଶୁଣି ସେ ମର୍ମାହତ। ଦୀର୍ଘଦିନ ଧରି ଜନପ୍ରତିନିଧି ଭାବେ ଲୋକଙ୍କ ସେବା ଓ ଉନ୍ନତିରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି ନବୀନ।