ଭୁବନେଶ୍ବର : ବିଜେଡିରେ ମିଶିଲେ ଇରାନୀ ରାୟ। କିଛି ଦିନ ତଳେ ସେ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ପଦ ଇସ୍ତଫା ଦେଇଥିବା ଇରାନୀ ରାୟ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସାଂସଦ ମାନସ ମଙ୍ଗରାଜ, ନୟାଗଡ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସାଂସଦ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଇରାନୀ ଓ ତାଙ୍କ ଶତାଧିକ ସମର୍ଥକଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।
ଇରାନୀ ରାୟ ବିଜେଡିରେ ଯୋଗଦେବା ପରେ ନୟାଗଡରେ ସଂଗଠନ ଶକ୍ତି ଆହୁରି ସୁଦୃଢ ହେବ ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି। ନୟାଗଡ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ଆଜି ଇରାନୀ ରାୟ ଯୋଗ ଦେଲେ। ସେ ଆଗ ଧାଡ଼ିର ନେତ୍ରୀ, ସଂଗଠନ ଦୃଷ୍ଟିରେ ଆଗ ଧାଡ଼ିର ନେତ୍ରୀ ଭାବେ ନିଜକୁ ପ୍ରତିପାଦନ କରିଛନ୍ତି। ବିଜେଡିର କାର୍ଯ୍ୟକ୍ରମ ଓ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ପ୍ରୟାସରେ ଅନୁପ୍ରାଣିତ ହୋଇ ସେ ଆମ ଦଳରେ ଯୋଗ ଦେଇଛନ୍ତି। ବିଜେଡି ଆହୁରି ଶକ୍ତିଶାଳୀ ହେଉଛି। ନବୀନ ବାବୁଙ୍କୁ ନେତୃତ୍ୱକୁ ଗ୍ରହଣ କରି ଲୋକେ ବିଜେଡିରେ ମିଶୁଛନ୍ତି। ଦଳକୁ ଆହୁରି ସଶକ୍ତ କରିବାରେ ଇରାନୀ କାମ କରିବେ।
ଅନ୍ୟପଟେ ବିଜେଡିରେ ଯୋଗ ଦେଇ ଇରାନୀ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଦ୍ୱାରା ଅନୁପ୍ରେରିତ ହୋଇ ଦଳରେ ଯୋଗ ଦେଇଛନ୍ତି । ବିଜେପିରେ ତାଙ୍କୁ ଅଣଦେଖା କରାଯାଉଥିଲା ଓ କୌଣସି ମିଟିଂକୁ ତାଙ୍କୁ ଡକା ଯାଉନଥିଲା । ବିଜେପି ପାଇଁ ୧୦୦ ପ୍ରତିଶତ କାମ କରୁଥିଲି, ପରିଶ୍ରମ, ତ୍ୟାଗ ଯାହା କର୍ମଭୁମିରେ ଦେଇଥିଲି, ତାହାର ଫଳ ନ ଦେଇ ବିଜେପି ତାଙ୍କ ସହ ଅନ୍ୟାୟ କରିଛି। ଯେଉଁଠି ସମ୍ମାନ ନାହିଁ, ସେଠି କାହିଁକି ରହିବି ବୋଲି କହିଛନ୍ତି ଇରାନୀ ରାୟ।