ଦଶହରା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ମିଳିବ କ୍ଷତିପୂରଣ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ଦଶହରା ପୂର୍ବରୁ କ୍ଷତିପୂରଣ ପ୍ରଦାନ କରାଯିବ। ଦଶହରା ପୂର୍ବରୁ ରାଜ୍ୟରେ ବନ୍ୟା ଏବଂ ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାରଗୁଡ଼ିକୁ ସରକାରୀ ସହାୟତା ପ୍ରଦାନ କରାଯିବ। ପୂଜା ଆରମ୍ଭ ହେବା ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ସେ ସୂଚନା ଦେଇଛନ୍ତି ଯେ, କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ମିଳିବା ମାତ୍ରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବ।

ଚଳିତ ମୌସୁମୀ ଋତୁରେ ଲଗାଣ ବର୍ଷା ଏବଂ ଲଘୁଚାପ ଯୋଗୁଁ ରାଜ୍ୟର ପ୍ରାୟ ୨୮ଟି ଜିଲ୍ଲା ପ୍ରଭାବିତ ହୋଇଛି। ପ୍ରାୟ ୩୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ହେକ୍ଟରରୁ ଅଧିକ ଚାଷଜମି ନଷ୍ଟ ହୋଇଛି। ଏହି ସଙ୍କଟର ମୁକାବିଲା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ପ୍ରାୟ ୨୬୧ କୋଟି ଟଙ୍କାର ସହାୟତା ରାଶି ମଞ୍ଜୁର କରିଛନ୍ତି। 

About The Author: Madhusudan Das