ବୁଲା ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ଶହଶହ ଚାଷୀ, ଶେଷରେ ଥାନାର ଦ୍ୱାରସ୍ଥ ହୋଇ ଦେଲେ ଏତଲା

ସାକ୍ଷୀଗୋପାଳ: ଏକ ଅଜବ ତଥା ଚାଞ୍ଚଲ୍ୟକର ଖବର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ବଳପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ମଣିଷ କି ଚୋର-ଡକାୟତଙ୍କ ନାଁରେ ନୁହେଁ ବୁଲା ଷଣ୍ଢ ନାଁରେ ସତ୍ୟବାଦୀ ଥାନାରେ ଏତଲା ଦେଇଛନ୍ତି ଶହଶହ ଚାଷୀ। ବୁଲା ଷଣ୍ଢ ଓ ଅଣ୍ଡିରା ବାଛୁରୀଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ଶହଶହ ଚାଷୀ ନିରୂପାୟ ହୋଇ ଶେଷରେ ସତ୍ୟବାଦୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। 

ସତ୍ୟବାଦୀ ଥାନା ବାହାରେ ହାତରେ କାଗଜପତ୍ର ଧରି ଶହଶହ ଚାଷୀ ଜମା ହୋଇଥିଲେ। ସେମାନଙ୍କ ଆଖିରେ ଲୁହ ଆଉ ମନରେ ଅସନ୍ତୋଷ ଜଳଜଳ ଦେଖାଯାଉଥିଲା। ବିରି, ମୁଗ ଭଳି ରବି ଫସଲଠାରୁ ଆରମ୍ଭ କରି ଏବେକାର ଧାନ ଫସଲ ପର୍ଯ୍ୟନ୍ତ ସବୁକିଛି ବୁଲା ଗୋରୁ ଓ ଷଣ୍ଢମାନେ ନଷ୍ଟ କରି ଚାଲିଛନ୍ତି। ତେବେ ଏହାର ମୁଖ୍ୟ କାରଣ ପଞ୍ଚାୟତରେ ଏବେ ଗୋଚର ଜମି କିମ୍ବା ହିଡ଼-ଦଣ୍ଡା ବୋଲି କିଛି ଦେଖିବାକୁ ମିଳୁନି। ସବୁ ଗୋଚର ଓ ଦଣ୍ଡା ଜମି ଜବରଦଖଲ  ହୋଇଗଲାଣି। ଗୋରୁଗାଈ ଚରିବେ କେଉଁଠି ସେଥିପାଇଁ ପେଟ ବିକଳରେ ସେମାନେ ଆସି ଆମ ବିଲରେ ପଶୁଛନ୍ତି ଓ ସବୁ ଫସଲ ଖାଇ ନଷ୍ଟ କରିଦେଉଛନ୍ତି। 

ସତ୍ୟବାଦୀ ଥାନା ଆଇଆଇସି ସୌମ୍ୟରଞ୍ଜନ ମହାଲିକ କହିଥିଲେ, ଚାଷୀମାନଙ୍କ ସମସ୍ୟା ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ସେମାନଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଯଥାର୍ଥ। ଷଣ୍ଢ ବା ଗୋରୁଙ୍କ ଉପରେ ଆଇନଗତ ମାମଲା କରିବା ସମ୍ଭବ ନ ହେଲେ ମଧ୍ୟ ଆମେ ଚାଷୀ ଭାଇମାନଙ୍କ ସହ ବିସ୍ତୃତ ଆଲୋଚନା କରିଛୁ। ସ୍ଥାନୀୟ ପ୍ରଶାସନ, ବ୍ଲକ୍‌ କର୍ତ୍ତୃପକ୍ଷ ଏବଂ ସରପଞ୍ଚଙ୍କ ସହ ମିଶି ଏହାର ଏକ ବିକଳ୍ପ ସମାଧାନ କରାଯିବ। ବୁଲା ଗୋରୁଙ୍କ ପାଇଁ କୌଣସି ଅସ୍ଥାୟୀ ଗୋଶାଳା କିମ୍ବା ସେମାନଙ୍କୁ ଚରିବା ପାଇଁ ବ୍ୟବସ୍ଥା କରି ଚାଷୀଙ୍କ ଫସଲକୁ କେମିତି ସୁରକ୍ଷିତ ରଖାଯାଇପାରିବ, ସେ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ।

About The Author: Madhusudan Das