ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାର ମକାଚାଷୀମାନଙ୍କ ପାଇଁ ଆଶୀର୍ବାଦ ସାଜିଛି ‘ମୁଖ୍ୟମନ୍ତ୍ରୀ ମକା ମିଶନ୍’ କାର୍ଯ୍ୟକ୍ରମ। ଏଣିକି ସେମାନେ ନିଜର ଉତ୍ପାଦିତ ମକା ସିଧାସଳଖ ବଡ଼ ଘରୋଇ ସଂସ୍ଥାକୁ ଉଚିତ ଦରରେ ବିକ୍ରି କରିପାରବେ। ଏପରିକି ଅମଳ ମକା ସଂଗ୍ରହ, ଷ୍ଟୋରେଜ ଏବଂ ପରିବହନ ଆଦି ଦିଗ ପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯିବ। ଏ ନେଇ ଶନିବାର ଭୁବନେଶ୍ୱର ସ୍ଥିତ ଏସ.ଆଇ.ଆର.ଡି ଏବଂ ପଞ୍ଚାୟତିରାଜ, କ୍ୟାମ୍ପସ ପରିସରରେ ଥିବା ମନରେଗା ସମ୍ମିଳନୀ କକ୍ଷରେ ଆୟୋଜିତ ମୁଖ୍ୟମନ୍ତ୍ରୀ ମକା ମିଶନ ଅନ୍ତର୍ଗତ କ୍ରେତା-ବିକ୍ରେତା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ୱାରା ମହିଳା ନେତୃତ୍ୱାଧୀନ ୧୪ଟି ଉତ୍ପାଦକ ସଂଗଠନ ଏବଂ ଚାଷୀ ଉପକୃତ ହେବେ।
ଏହି ଅବସରରେ ଓରମାସ ତରଫରୁ ଆନ୍ଧ୍ରପ୍ରଦେଶର ବିଜୟନଗର ବାୟୋଟେକ ଏବଂ ବିହାର ପାଟନାର ଡିହାଟ୍ ସଂସ୍ଥା ସହିତ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା। ଓରମାସ ତରଫରୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଏହି ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ। ଏହି ଅବସରରରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଓ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ କ୍ଷେତ୍ରୀୟ ଯୋଜନା ଜରିଆରେ ଓରମାସ, ନବରଙ୍ଗପୁର ଜିଲ୍ଲାରେ ମକା ଉତ୍ପାଦନ, ସଂଗ୍ରହ ଏବଂ ବିକ୍ରି ପାଇଁ ମହିଳା ନେତୃତ୍ୱାଧୀନ ୧୪ଟି ଉତ୍ପାଦକ ସଂଗଠନ ପ୍ରତିଷ୍ଠା ଏବଂ ବିକଶିତ କରିବା ସହ ଗୋଟିଏ ମିଳିତ କୃଷକ ଉତ୍ପାଦକ ସଂଗଠନ ଗଠନ କରିଛି। ସେଥିମଧ୍ୟରୁ ୧୨ଟି କୃଷକ ଉତ୍ପାଦକ ସଂଗଠନ ପଞ୍ଜୀକୃତ ହୋଇସାରିଥିବା ବେଳେ, ୭ଟି ଏଗ୍ରିମଲ୍ ଏବଂ ୧ ଉତ୍ପାଦକ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି।
ଏହି ଚୁକ୍ତିନାମ ଅନୁସାରେ, ବିଜୟନଗର ବାୟୋଟେକ ଏବଂ ଡିହାଟ୍- ଏହି ଦୁଇଟି ସଂସ୍ଥା, ନବରଙ୍ଗପୁର ଜିଲ୍ଲାରେ ଓରମାସ ଦ୍ୱାରା ଗଠିତ ଏବଂ ପରିଚାଳିତ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକଠାରୁ, ଉଚିତ ଦର ଦେଇ ମକା ସଂଗ୍ରହ କରିବେ। ଏ ଦିଗରେ ଉଭୟ ସଂସ୍ଥା ଏବଂ ଉତ୍ପାଦକ ସଂଗଠନ ଗୁଡ଼ିକୁ ଓରମାସ ତରଫରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ଏହି ବୁଝାମଣାପତ୍ର ନବରଙ୍ଗପୁର ଜିଲ୍ଲାର ଚାଷୀମାନଙ୍କୁ, କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ସେମାନଙ୍କ ଉତ୍ପାଦିତ ମକାକୁ ଉଚିତ ଦରରେ ପ୍ରତିଷ୍ଠିତ ସଂସ୍ଥାକୁ ବିକ୍ରି କରିବାକୁ ସୁଯୋଗ ପ୍ରଦାନ କରିବ। ଏଥିସହ ଏ ଦିଗରେ କ୍ରମାଗତ ଦକ୍ଷତା ବୃଦ୍ଧି, ଆବଶ୍ୟକ ସହାୟତା ପ୍ରଦାନ, ମକା ସଂଗ୍ରହ ଆଦି କାର୍ଯ୍ୟଗୁଡ଼ିକୁ ଓରମାସ ଦ୍ୱାରା ନିୟମିତ ତଦାରଖ କରାଯାଉଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଷ୍ଠିତ ଘରୋଇ ସଂସ୍ଥା, ବିଜୟନଗର ବାୟୋଟେକ୍ ଡି-ହାଟ, ସୁଗୁନା, ଟି. ଫାର୍ମ ପ୍ରାଇଭେଟ ଲିମିଟେଡ, ଜାପଫା କମଫିଡ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଭେଙ୍କଟେଶ୍ୱର ହ୍ୟାଚେରିଜ୍, ଗୋ-ଗ୍ରୀନ ଓ୍ୱେୟାର ହାଉସେସ୍ ପ୍ରାଇଭେଟ୍ ଲିମିଟେଡ ଏବଂ ସେଣ୍ଟ୍ରାଲ ୱେୟାର ହାଉସିଂ କର୍ପୋରେସନର ପ୍ରତିନିଧିଙ୍କ ସହିତ ଆଇ.ସି.ଏ.ଆର ଅଧୀନସ୍ଥ ଭାରତୀୟ ମକା ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଶଙ୍କର ଲାଲ୍ ଜାଠ୍, ନବରଙ୍ଗପୁର ଜିଲ୍ଲାର ୧୪ଟି କୃଷକ ଉତ୍ପାଦକ ସଂଗଠନର ବୋର୍ଡ ଅଫ୍ ଡାଇରେକ୍ଟର୍ସ ସଦସ୍ୟା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଓରମାସ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।