ରାଜଧାନୀର ବୁଦ୍ଧନଗର ଅଞ୍ଚଳରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା: ସୁନା ଗହଣା ଓ ନଗଦ ଲୁଟ୍, ସନ୍ଦେହରେ କେୟାରଟେକର

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୭୬ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କ ନିଜ ବାସଭବନରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧାଙ୍କ ନାମ କୁଞ୍ଜଲତା ନନ୍ଦ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଘରର କେୟାରଟେକର ହିଁ ହାତ ଗୋଡ ବାନ୍ଧି ଏହି ହତ୍ୟାକାଣ୍ଡ ଘଟାଇବା ପରେ ସର୍ବସ୍ୱ ଲୁଟି ନେଇଛି। 

ପରିବାର ସଦସ୍ୟଙ୍କ କହିବା ଅନୁସାରେ, ଘରୁ ପ୍ରାୟ ୪୦ ରୁ ୫୦ ଗ୍ରାମ ସୁନା ଗହଣା, ୬୦ ହଜାର ଟଙ୍କା ନଗଦ ଏବଂ ଏକ ସ୍କୁଟର ଗାଏବ ଅଛି। କୁଞ୍ଜଲତାଙ୍କ ଝିଅ ଏବଂ ଜ୍ୱାଇଁ ଅଭିଯୋଗ କରିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଓ ଲୁଟ୍ ଏକ ସୁଚିନ୍ତିତ ଯୋଜନା ମୁତାବକ କରାଯାଇଛି। ଏଥିରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। 

ଟାଙ୍ଗୀ ଅଞ୍ଚଳର ବଳଭଦ୍ର ମହାରଣା ନାମକ ଜଣେ ବ୍ୟକ୍ତି ଗତ ଚାରି ମାସ ହେବ କୁଞ୍ଜଲତାଙ୍କ କେୟାରଟେକର ଭାବେ କାର୍ଯ୍ୟ କରୁଥିଲେ। କୁଞ୍ଜଲତାଙ୍କ ସନ୍ତାନମାନେ ଅନ୍ୟତ୍ର ରହୁଥିବାରୁ ସେ ଘରେ ଏକାକୀ ରହୁଥିଲେ। ବୁଧବାର ସକାଳେ ତଳ ମହଲାରେ ରହୁଥିବା ଭଡାଟିଆମାନେ କୁଞ୍ଜଲତାଙ୍କ କବାଟ ବାଡେଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ଏହାପରେ ଜ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉପସ୍ଥିତିରେ କବାଟ ଭାଙ୍ଗିଥିଲେ। ଘର ଭିତରେ ବୃଦ୍ଧାଙ୍କ ରକ୍ତାକ୍ତ ଶବ ପଡିଥିବା ଦେଖିବାକୁ ମିଳିଥିଲା। 

ପୋଲିସ ଘଟଣା ପରଠାରୁ କେୟାରଟେକର ବଳଭଦ୍ର ଫେରାର ଥିବାରୁ ପୋଲିସର ସନ୍ଦେହ ତାଙ୍କ ଉପରେ କେନ୍ଦ୍ରିତ ହୋଇଛି। ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

About The Author: Madhusudan Das