କଟକ: ଜାତୀୟ ସ୍ତରରେ ହରଡ଼ ଡାଲି ଦର ବୃଦ୍ଧି ପାଇ ଚାଲିଥିବା ବେଳେ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ବିଗତ ୬ମାସ ମଧ୍ୟରେ ହରଡ ଡାଲି ଦର ଆଶାତୀତ ଭାବେ ବଢ଼ିଛି। ୬ମାସରେ ଖୁଚୁରା ବଜାରରେ ହାରହାରି କିଲୋ ପ୍ରତି ୪୦ଟଙ୍କା ବଢ଼ିଛି ହରଡ ଡାଲି। ଗରିବ ଧନୀ ସମସ୍ତେ ଡାଲିର ଆବଶ୍ୟକତା କରିଥାନ୍ତି। ହେଲେ ଦର ବୃଦ୍ଧି ଯୋଗୁ ଏବେ ଗରିବ ଏବଂ ମଧ୍ୟବିତ୍ତଙ୍କ ହାଣ୍ଡିଶାଳରୁ ହରଡ ଡାଲି ଉଭାନ ହୋଇଗଲାଣି। ରାଜ୍ୟରେ ଏହା କିଲୋ ପ୍ରତି ୧୮୦ ଟଙ୍କା ଛୁଇଁଲାଣି। ଦର ଆକାଶଛୁଆଁ ହେବାରୁ ଚାହିଦା କମିଯାଇଛି।
କଟକ ମାଲଗୋଦାମ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଇତି ମଧ୍ୟରେ ମାଲଗୋଦାମରେ ଡାଲି ବେପାର ପୂର୍ବାପେକ୍ଷା ୩୦ପ୍ରତିଶତ ହ୍ରାସ ପାଇଲାଣି। ଅନ୍ୟପଟରେ ହରଡ଼ ଡାଲିଦର ଆକାଶଛୁଆଁ ହୋଇଥିବାରୁ ଏବେ ବିକଳ୍ପ ଭାବେ ବୁଟ ଡାଲି ବ୍ୟବହାର ହେଲାଣି। ହରଡ଼ ଡାଲିର ଅଧା ମୂଲ୍ୟରେ ବୁଟ ଡାଲି ମିଳି ଯାଉଥିବାରୁ ଏହାର ଚାହିଦା ଏବେ ବୃଦ୍ଧି ପାଇଛି। ଖୁଚୁରା ବଜାରରେ ୮୦ ଟଙ୍କା ରହିଛି ବୁଟ ଡାଲି ଦର। ମାଲଗୋଦାମରେ ପ୍ରାୟ ୩୦ଟି ଡାଲି ଗୋଦାମ ରହିଥିବା ବେଳେ ମହାରାଷ୍ଟ୍ରର ନାଗପୁର ଏବଂ ଛତିଶଗଡ଼ର ରାୟପୁରରୁ ମାଲଗୋଦାମ ବ୍ୟବସାୟୀ ମାନେ ଡାଲି ଆଣିଥାନ୍ତି।
ଆମେରିକାନ ଡଲାର, କିଚେନ୍ କୁଇନ୍, ସନ୍ରାଇଜ୍, ବୁଲେଟ, ମୟୂରକଳା ଆଦି କିସମର ହରଡ଼ ଡାଲି ମୂଲ୍ୟ ୧୭୦ରୁ ୧୮୦ଟଙ୍କା ରହିଛି। ହରଡ଼ ଦର ଅଧିକ ଥିବାରୁ ବୁଟ ବିକ୍ରି ବୃଦ୍ଧି ପାଇଛି। ବ୍ୟବସାୟୀଙ୍କ କହିବା ଅନୁଯାୟୀ, କଟକ ମାଲଗୋଦାମରେ ଦୈନିକ ହାରାହାରି ୩ରୁ ୪କୋଟି ଟଙ୍କାର ହରଡ଼ ଡାଲି ବିକ୍ରି ହୋଇଥାଏ। ହେଲେ ଦର ବୃଦ୍ଧି ପରେ ଏହା ହ୍ରାସ ପାଇଛି। ବୁଟ ଡାଲିର ଚାହିଦା ଆଗରୁ ଢେର୍ କମ୍ ରହିଥିବା ବେଳେ ବିଗତ କିଛି ମାସ ଧରି ଏହି ଡାଲିର ପ୍ରବଳ ଚାହିଦା ପରିଲକ୍ଷିତ ହୋଇଛି। ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟରେ ବୁଟ ଡାଲି ବହୁଳ ପରିମାଣରେ ବ୍ୟବହାର କରାଯାଉଛି।