ଭୁବନେଶ୍ୱର: ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା। ଆଉ ମା’ଙ୍କ ଆଗମନ ପରେ ସାରା ପରିବେଶ ଆଧ୍ୟାତ୍ମିକ ଓ ଭକ୍ତିମୟ ହୋଉଠିଛି । ପୀଠ ହେଉ କି ମଣ୍ଡପ ସବୁଠି ଭିଡ଼। ମହାମାୟାଙ୍କ ମହାଷ୍ଟମୀ ପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ସବୁ ମଣ୍ଡପ । ସେପଟେ ପୂଜା ମଣ୍ଡପରେ ଚାଲିଛି ଦେବୀ ଦଶଭୁଜାଙ୍କ ଅଷ୍ଟମୀ ରୀତିନୀତି।
ଦଶହରା ପାଇଁ ପ୍ରସିଦ୍ଧି ଲାଭ କରିଥିବା କଟକ ସହରରେ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼। ପରିବାର ସହ ପୂଜା ମଣ୍ଡପ ଗୁଡିକ ବୁଲୁଛନ୍ତି ଲୋକେ। ମୃଣ୍ମୟୀ ମୂର୍ତ୍ତି ଗୁଡିକ ଯେମିତି ମନଲୋଭା ହୋଇଛି, ତୋରଣ ଓ ସାଜସଜ୍ଜା ସେତିକି ସୁନ୍ଦର ଓ ଆକର୍ଷଣୀୟ ହୋଇଛି। ସନ୍ଧ୍ୟା ହେଲେ ଝଲସୁଛି ମଣ୍ଡପ। ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପୂଜା ମଣ୍ଡପ ଗୁଡିକରେ ହଜାର ହଜାର ଲୋକଙ୍କ ଗହଳି। ଝାରପଡ଼ା, ରସୁଲଗଡ଼, ସହିଦନଗର, ନୟାପଲ୍ଲୀ ଭଳି ବିଭିନ୍ନ ମଣ୍ଡପରେ ସାଜସଜା, ଲାଇଟ୍, ତୋରଣ ସବୁକିଛି ମନ ଛୁଆଁ ହୋଇଛି।
ଭାରତୀୟ ଦର୍ଶନରେ ଶକ୍ତିପୂଜା ଏକ ମହାନ ପରମ୍ପରା। ମହାଶକ୍ତି ଦୁର୍ଗାଙ୍କ ପୂଜା ଆଦିମ କାଳରୁ ସମଗ୍ର ଭାରତବର୍ଷରେ ପ୍ରଚଳିତ। ଆଶ୍ବିନ ମାସରେ ସର୍ବମଙ୍ଗଳ କାମନା କରି ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି ଜଗତଜନନୀ ମା’ ଦୁର୍ଗା ଏବଂ ନିଜର ସମସ୍ତ ସନ୍ତାନକୁ ଦେଇଥାନ୍ତି ସତ୍ୟ ଉପରେ ଅସତ୍ୟ, ଅନ୍ୟାୟ ଉପରେ ନ୍ୟାୟ ଏବଂ ପାପ ଉପରେ ପୁଣ୍ୟର ବିଜୟର ବାର୍ତ୍ତା । ମା’ ଦୁର୍ଗା ଜଗତବାସୀଙ୍କ ପରମ ଆରାଧ୍ୟା, ବନ୍ଦନୀୟା । ସେ ସକଳ ଶକ୍ତିର ଆଧାର, ସମସ୍ତ ଦୁଃଖର ବିନାଶିନୀ ।
ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣିତ ଅଛି ଯେ, ଯେତେବେଳେ ମହିଷାସୁରର ଅତ୍ୟାଚାରରେ ଦେବ ମାନବ ସମସ୍ତେ ତ୍ରାହିତ୍ରାହି ଡାକିଲେ। ପୃଥିବୀ ଭୟରେ ଥରହର ହେଲା । ମହାଦେବ ଓ ଦେବଗଣଙ୍କ ତେଜ ରଶ୍ମିରୁ ଆବିର୍ଭୂତା ହେଲେ ଜଗତ୍ଜନନୀ ମାଆ ଦୁର୍ଗା । ସମସ୍ତ ଦେବତାଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଗ୍ରହଣ କରି ଦେବୀ ମହିଷାସୁରକୁ ବଧ କରି ସଂସାରରେ ଶାନ୍ତି ପ୍ରତିଷ୍ଠା କରିଥିଲେ। ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ବିନାଶ କରିବା ପାଇଁ ମାଆ ଦୁର୍ଗାଙ୍କ ଆରାଧନା କରିଥିଲେ । ମା’ଙ୍କ ଆଶୀର୍ବାଦ ଫଳରେ ରାମଚନ୍ଦ୍ର ରାବଣକୁ ବଧ କରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ । ସଂପ୍ରତି ଶାରଦୀୟ ଦୁର୍ଗା ପୂଜା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକ ଗଣ ମହୋତ୍ସବ ଭାବେ ପରିଗଣିତ।