କଟକ: କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ବିବାଦ ଆନ୍ଦୋଳନର ରୂପ ନେଇଛି। ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହାଉସ ସର୍ଜନ ସଂଘ। ଜରୁରୀକାଳୀନ ବିଭାଗକୁ ଛାଡ଼ି ଇନ୍ ଡୋର ଓ ଆଉଟଡୋର୍ରେ ସେବା ବନ୍ଦ କରିଛନ୍ତି। ଫଳରେ ଏସସିବିରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।
ସୂଚନା ଅନୁଯାୟୀ, ଗତକାଲି ଶତାଧିକ ନର୍ସିଂ ଷ୍ଟାଫ୍ ଓ ଜୁନିଅର ଡ଼ାକ୍ତର ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ରବିବାର ସନ୍ଧ୍ୟାରେ ମେଡ଼ିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ବଚସା ହୋଇଥିଲା । ନର୍ସିଂ କର୍ମଚାରୀଙ୍କୁ ହାଉସ ସର୍ଜନ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଶତାଧିକ ନର୍ସମାନେ ଗତକାଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେହିଭଳି ନର୍ସିଂ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଜୁନିଅର୍ ଡାକ୍ତର। ତେବେ ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ।