ଓଏଭିକୁ ପୁଣି ସର୍ବଭାରତୀୟ ଶ୍ରେଷ୍ଠ ବିଦ୍ୟାଳୟ ମାନ୍ୟତା : ଦେବଗଡ଼ର ବୁଢ଼ାପାଳ ଅଷ୍ଟମ ଓ ମୟୂରଭଞ୍ଜର ରାଣୀଭୋଳ ନବମ

ଭୁବନେଶ୍ବର : ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ସ୍କୁଲ୍‌ ତାଲିକାରେ ଓଡ଼ିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ (ଓଏଭି) ସ୍ଥାନ ପାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ବୁଢ଼ାପାଳ ଓଏଭି ଦେଶରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ରାଣୀଭୋଳ ଓଏଭି ନବମ ସ୍ଥାନରେ ରହିଛି। ଇଡବ୍ଳୁ ପୋର୍ଟାଲ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍‌ ୨୦୨୩-୨୪’ ତାଲିକାର ଶ୍ରେଷ୍ଠ ୧୦ଟି ସରକାରୀ ଆବାସିକ ସ୍କୁଲ ମଧ୍ୟରେ ଓଡ଼ିଶାର ଏହି ଦୁଇଟି ସ୍କୁଲ ସ୍ଥାନ ପାଇ ଓଡ଼ିଶା […]

ଭୁବନେଶ୍ବର : ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ସ୍କୁଲ୍‌ ତାଲିକାରେ ଓଡ଼ିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ (ଓଏଭି) ସ୍ଥାନ ପାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ବୁଢ଼ାପାଳ ଓଏଭି ଦେଶରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ରାଣୀଭୋଳ ଓଏଭି ନବମ ସ୍ଥାନରେ ରହିଛି। ଇଡବ୍ଳୁ ପୋର୍ଟାଲ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍‌ ୨୦୨୩-୨୪’ ତାଲିକାର ଶ୍ରେଷ୍ଠ ୧୦ଟି ସରକାରୀ ଆବାସିକ ସ୍କୁଲ ମଧ୍ୟରେ ଓଡ଼ିଶାର ଏହି ଦୁଇଟି ସ୍କୁଲ ସ୍ଥାନ ପାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହି ତାଲିକାରେ ଦେଶର ମୋଟ ୧୧ଟି ସ୍କୁଲ ସ୍ଥାନ ପାଇଛି। ସେଥି‌ମଧ୍ୟରେ ଉତ୍ତରାଖଣ୍ଡ, କେରଳ, ହିମାଚଳପ୍ରଦେଶ, କର୍ଣ୍ଣାଟକ, ହରିୟାନା, ବିହାର ଏବଂ ଓଡ଼ିଶାର ସ୍କୁଲ ରହିଛି।


ରାଣୀଭୋଳ ୧୧୨୬ ମାର୍କ ପାଇ ତାଲିକାର ୯ମ ସ୍ଥାନରେ ରହିଛି। ଗତବର୍ଷ ଏହି ବିଦ୍ୟାଳୟ ୧୦ମ ସ୍ଥାନରେ ରହିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନର ମାନ ବୃଦ୍ଧି ଘଟିଥିବା ବେଳେ ବହୁ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତମ ରେଜଲ୍ଟ ଆଣିପାରୁଛନ୍ତି। ଗତ ୨୦୧୬ ମସିହାରେ ରାଣୀଭୋଳ ଓଏଭି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଚଳିତ ୨୦୨୩-୨୪ ଶିକ୍ଷାବର୍ଷରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୬୦୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୧୦୦ଜଣ ଛାତ୍ରୀଙ୍କ ନିମନ୍ତେ ଏଠାରେ ଆବାସିକ ବ୍ୟବସ୍ଥା ରହିଛି। ଶିକ୍ଷାଦାନ ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ସହ ୨୨ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ବିଗତ ୩ବର୍ଷ ଧରି ମାଟ୍ରିକ୍‌ ଓ ଏକାଦଶ ପରୀକ୍ଷାରେ ଶତପ୍ରତିଶତ ରେଜଲ୍ଟ ହାସଲ କରି ଛାତ୍ରଛାତ୍ରୀ ବିଦ୍ୟାଳୟର ଗୌରବ ବଢ଼ାଇ ଚାଲିଛନ୍ତି।


ସେହିପରି ସ୍କୁଲ ପରିସର ପରିଷ୍କାର ପରିଚ୍ଛନ୍ନତା, ବୈଜ୍ଞାନିକ ମେଧା ଅନ୍ୱେଷା କାର୍ଯ୍ୟକ୍ରମ ସହ ସ୍କୁଲରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରି ଜିଲ୍ଲା ତଥା ରାଜ୍ୟସ୍ତରରେ ସୁନାମ ଆଣୁଛନ୍ତି। ଶିକ୍ଷକ କଲ୍ୟାଣ ଓ ଉନ୍ନତି, ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କ ପାରଦର୍ଶିତା, ଶିକ୍ଷାନୁଷ୍ଠାନର ଖ୍ୟାତି, ସହଶିକ୍ଷା କାର୍ଯ୍ୟକ୍ରମ, ଅନଲାଇନ୍‌ ଶିକ୍ଷାଦାନର ପ୍ରତିଫଳନ, ଶିକ୍ଷାର୍ଥୀଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ, ଉତ୍ତମମାନର ନେତୃତ୍ୱ ଓ ପରିଚାଳନା, ଅଭିଭାବକଙ୍କ ସହଭାଗିତା, ସ୍କୁଲର ଆବଶ୍ୟକ ଭିତ୍ତିଭୂମି, ମାନସିକ ଓ ଭାବପ୍ରବଣର ଯଥାର୍ଥିତ ସେବା, ଶିକ୍ଷାର ସ୍ୱତନ୍ତ୍ର ଆବଶ୍ୟକତା, ସରକାରୀ ଅନୁଦାନର ଉଚିତ ବିନିଯୋଗ ଓ ଗୋଷ୍ଠୀଗତ ସେବା ପ୍ରଦାନରେ ଉଲ୍ଲେଖନୀୟ ଅବଦାନ ରହିଥିବାରୁ ସ୍କୁଲ ସର୍ବଭାରତୀୟ ରାଙ୍କିଙ୍ଗ୍‌ ତାଲିକାରେ ସ୍ଥାନ ପାଇପାରିଛି। ବିଦ୍ୟାଳୟର ଏହି ଉପଲବ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ‘୫-ଟି’ ସଚିବ ଭି.କେ ପାଣ୍ଡିଆନ୍‌, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଓ ମୟୂରଭଂଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଅଭିନନ୍ଦନ ଜଣାଇଛନ୍ତି। ଅପରପକ୍ଷେ ଏହି ସଫଳତା ପାଇଁ ପ୍ରଧାନଶିକ୍ଷକ ବିଭୂତି ଭୂଷଣ ମଣ୍ଡଳ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।

About The Author: The Sakala