ବିଜେଡିର କଡ଼ା ନିଶାଣ: ନିଜ ବ୍ୟାବସାୟିକ ସ୍ୱାର୍ଥ ପାଇଁ ବିଜେପି ଯାଇଛନ୍ତି ଦେବାଶିଷ

ଭୁବନେଶ୍ୱର: ବିଜେଡିରୁ ୫ ଥର ବିଧାୟକ ଟିକଟ ପାଇ ତିନି ତିନି ଥର ବିଧାୟକ ହୋଇବା ଦେବାଶିଷ ଦଳର ବିଭିନ୍ନ ପଦପଦବୀରେ ରହି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦୟାରୁ ରାଜ୍ୟସଭାକୁ ମଧ୍ୟ ଯାଇଛନ୍ତି । ମାତ୍ର ଏବେ ନିଜ ସ୍ୱାର୍ଥ ପାଇଁ ସେ ବିଜେପିରେ ଯୋଗ ଦେଇ ବିଜେଡିକୁ ନିନ୍ଦା କରୁଛନ୍ତି। କେବଳ ଜଣେ  କୃତଘ୍ନ ଓ ବିଶ୍ୱାସଘାତକଙ୍କଠାରୁ ଏପରି ଆଶା କରାଯାଏ ବୋଲି  ଦେବାଶିଷଙ୍କୁ ଆକ୍ଷେପ କରି କହିଛି ବିଜେଡି ।

ଗୁରୁବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ  କିଛି ବର୍ଷ ହେଲାଣି ଦେଶରେ ପ୍ରଲୋଭନ କରିବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ ଚାଲିଛି। ଦେବାଶିଷ ସେହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ଓ ସ୍ୱାର୍ଥ ପାଇଁ ବିଜେପିରେ ଯୋଗ ଦେଇଛନ୍ତି । ଆଜି ତାଙ୍କର ଯେଉଁ ପରିଚୟ ସୃଷ୍ଟି ହୋଇଛି ତାହା ବିଜୁ ଜନତା ଦଳ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦୟାରୁ ହିଁ ମିଳିଛି, ତାହା ସମ୍ଭବତଃ ସେ ସ୍ମରଣ କରିବାକୁ ଚାହୁଁ ନାହାନ୍ତି।  ବିଜେପିକୁ ଫେରି ନିଜ ଘରକୁ ଫେରିଥିବା କଥା ଦେବାଶିଷ କହୁଛନ୍ତି । କିନ୍ତୁ ବର୍ତ୍ତମାନ ବିଜେପିରେ ସମରକଷା ଚାଲିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନ୍ୟପଟେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଟ୍ ପ୍ରଶ୍ନପତ୍ର ଲିକ୍, ସିବିଏସ୍ଇ ପରୀକ୍ଷା ବିଭ୍ରାଟ ଘଟଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ସାଇଡ୍ ଲାଇନ୍ କରୁଥିବା ବେଳେ ରାଜ୍ୟରେ ଘଟୁଥିବା ହିଂସା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜନତାଙ୍କ ରୋଷର ଶିକାର ହେଉଛନ୍ତି୤ ଧର୍ମେନ୍ଦ୍ର ପ୍ରଧାନଙ୍କ ଜାଲରେ ଫସି ବିଜେଡିରୁ ନିଜ ବ୍ୟାବସାୟିକ ସ୍ୱାର୍ଥ ପାଇଁ ଦୂରେଇ ଯାଇଥିବା ଦେବାଶିଷ ସାମନ୍ତରାୟଙ୍କୁ ଆଗାମୀ ଦିନରେ ଲୋକେ ଜବାବ ଦେବେ ବୋଲି ଡଃ ମହାନ୍ତି କହିଛନ୍ତି ।

ଲେନିନ୍‌ ପୁଣି କହିଛନ୍ତି ଯେ  ନିର୍ବାଚନରେ ପରାଜିତ ହେବା ପରେ ଦେବାଶିଷ ସାମନ୍ତରାୟଙ୍କୁ ଦଳର ସଭାପତି ତଥା ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଟିଡ଼ିସି ଅଧ୍ୟକ୍ଷ ପଦ ସହ ଦଳର ବିଭିନ୍ନ ଉଚ୍ଚ ପଦରେ ବସାଇଥିଲେ। ତାଙ୍କ ସମ୍ମାନକୁ ଅକ୍ଷୁଣ୍ଣ ରଖିଥିଲେ।  ପରବର୍ତ୍ତୀ ସମୟରେ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ; ମାତ୍ର ଦଳରୁ ଏତେ ସୁବିଧା ପାଇଲା ପରେ ମଧ୍ୟ ତାଙ୍କର କ୍ଷମତା ଭୋକ ମେଣ୍ଟିଲା ନାହିଁ। ନିଜର ସ୍ୱାର୍ଥ ହାସଲ ପାଇଁ ବିଜେପି ଦଳରେ ସାମିଲ ହେଲେ। ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା କଥା କହୁଥିବା ଦେବାଶିଷ ସାମନ୍ତରାୟ ଅନ୍ୟପଟେ ବିଜୁ ଜନତା ଦଳର ମାଆ ବାପା ନାହିଁ କହି ନିଜ ହୀନମନ୍ୟତାର ପରିଚୟ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କୁ ସାରା ବିଶ୍ୱ ସମାନ ଜଣାଉଥିବା ବେଳେ ଦେବାଶିଷଙ୍କ ପରି ଜଣେ ସ୍ୱାର୍ଥବାଦୀ ଲୋକ ସେହି ନେତୃତ୍ୱ ଉପରେ ଟିପ୍ପଣୀ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ୤ ଦେବାଶିଷଙ୍କ ମନ୍ତବ୍ୟ ତାଙ୍କ ଅପରିପକ୍ୱତାର ପରିଚୟ। ବିଜୁ ଲିଗାସୀର ଦ୍ୱାହି ଦେଉଥିବା ଦେବାଶିଷ ଦିନେ ବିଜୁ ବାବୁଙ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ । ବିଜୁ ଜନତା ଦଳରୁ ସବୁ ଫାଇଦା ହାସଲ କରି ବିଜେପିରେ ସାମିଲ ହୋଇଥିବା ଦେବାଶିଷ ଯେଉଁ ଟୀକାଟିପ୍ପଣୀ କରୁଛନ୍ତି, ସେଥିରୁ କ୍ଷାନ୍ତ ରୁହନ୍ତୁ, ନ ହେଲେ ଓଡ଼ିଶାବାସୀ କେବେ କ୍ଷମା ଦେବେନାହିଁ ବୋଲି ଡ. ମହାନ୍ତି କହିଛନ୍ତି।

About The Author: Madhusudan Das