ଅସହ୍ୟ ହେଲା ମାଆର ନିର୍ଯାତନା; ଚାଉଳ ପୋକମରା ଔଷଧ ଖାଇ ଜୀବନ ହାରିଲା ଝିଅ

ଭୁବନେଶ୍ୱର: ବାପାଙ୍କ ମୃତ୍ୟୁପରେ ଦ୍ୱିତୀୟ ବିବାହ କଲା ମାଆ। ଆଉ ବିବାହ ପରେ ସବୁକିଛି ବଦଳିଗଲା। ଖୋଦ୍‌ ଜନ୍ମଦାତ୍ରୀ ମାଆର ନିର୍ଯାତନା ଅସହ୍ୟ ହେଲା। ଶେଷରେ ଚାଉଳ ପୋକ ମରା ଔଷଧ ଖାଇ ଜୀବନ ହାରିଲା ଝିଅ। ଲକ୍ଷ୍ମୀନଗର ବସ୍ତି ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତ ଯୁବତୀ ହେଉଛନ୍ତି ଶାନ୍ତିଲତା ନାୟକ (୨୧)। ଜେଜେ ମାଆ କିଲା ନାୟକଙ୍କ ଅଭିଯୋଗ କ୍ରମେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା ରୁଜୁ କରିଛି। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ମାଆକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମହିଳା ହେଲେ ମାନିନୀ ମଞ୍ଜରୀ ପ୍ରଧାନ (୩୯)।

ପୁଲିସ ସୂଚନାନୁସାରେ, କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅଞ୍ଚଳର ମାନିନୀ ୨୦୦୨ ମସିହାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିରିପଡ଼ା ଗ୍ରାମର ଝଡ଼ିରାମ ନାୟକଙ୍କୁ ବିବାହ କରିଥିଲେ। ବିବାହ ପରେ ପୁଅ ଓ ଝିଅ ଶାନ୍ତିଲତା ଜନ୍ମ ହୋଇଥିଲେ। ୨୦୦୭ ମସିହାରେ ଝଡ଼ିରାମଙ୍କ ମୃତ୍ୟୁ ପରେ ସେ ନିଜର ଦୁଇ ସନ୍ତାନଙ୍କ ସହ ପୈତୃକ ଘରକୁ ଫେରି ଯାଇଥିଲେ। ମାନିନୀ ପରବର୍ତ୍ତୀ ସମୟରେ ଅରୁଣ କୁମାର ପ୍ରଧାନଙ୍କୁ ଦ୍ୱିତୀୟ ବିବାହ କରି ଲକ୍ଷ୍ମୀନଗର ବସ୍ତିରେ ରହୁଥିଲେ। ତାଙ୍କର ଦୁଇ ସନ୍ତାନ ଜେଜେ ମାଆ କିଲାଙ୍କ ନିକଟରେ ରହୁଥିଲେ। ମୃତା ଶାନ୍ତିଲତା ନାୟକ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କରି ବ୍ୟାଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ।

ଘଟଣାର ପ୍ରାୟ ୩/୪ ମାସ ପୂର୍ବରୁ ସେ ମାଆ ମାନିନୀ ଓ ଦ୍ୱିତୀୟ ବାପାଙ୍କ ସହ ରହୁଥିଲେ।ମାଆ ଓ ଝିଅଙ୍କ ମଧ୍ୟରେ ବିଭିନ୍ନ ସାମାନ୍ୟ କଥାକୁ ନେଇ ବାରମ୍ବାର ଝଗଡ଼ା ହେଉଥିଲା। ମାନିନୀ ତାଙ୍କ ଝିଅ ଶାନ୍ତିଲତାଙ୍କୁ ନିୟମିତ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଗାଳିଗୁଲଜ କରୁଥିଲେ। ଘର ଛାଡ଼ି ଚାଲିଯିବାକୁ କହିବା ସହ ତାଙ୍କ ଚରିତ୍ରକୁ ନେଇ ବାରମ୍ବାର ଅପମାନିତ କରୁଥିବା ଅଭିଯୋଗ ହୋଇଛି । ଘଟଣାର ଦୁଇ ଦିନ ପୂର୍ବରୁ ପୁନର୍ବାର ମାଆ ଓ ଝିଅଙ୍କ ମଧ୍ୟରେ ଝଗଡ଼ା ହେବାସହ ତମାଣ୍ଡୋ ଥାନାର ଆପୋଷ ସମାଧାନ କରିଥିଲେ। ଏହାସହିତ ଝିଅ ହଷ୍ଟେଲରେ ରହିବାକୁ ମଧ୍ୟ ସ୍ଥିର ହୋଇଥିଲା।

ବାପା ଅରୁଣ ଅଫିସ ଯିବା ପରେ ମୃତା ଶାନ୍ତିଲତା ତାଙ୍କ ବଡ଼ ମାଉସୀଙ୍କୁ ଫୋନ୍‌ କରିଥିଲେ। ମାଆଙ୍କ ନିର୍ଯାତନା ସହି ନପାରି ଚାଉଳ ପୋକ ମରା ଔଷଧ ଖାଇଥିବା ଜଣାଇଥିଲେ । ତୁରନ୍ତ ତାଙ୍କ ବଡ଼ ମାଉସୀ ଓ ବାପା ଘରେ ପହଞ୍ଚି ତାଙ୍କୁ ଏମ୍ସ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ଡାକ୍ତର ପରୀକ୍ଷା ତାଙ୍କୁ ମୃତ ଘୋଷଣା କରିଥିଲେ। ମାଆର ନିର୍ଯାତନା ଅସହ୍ୟ ହେବାରୁ ଝିଅ ଆତ୍ମହତ୍ୟା କରିଥିବା ଜେଜେମାଆ ତମାଣ୍ଡୋ ଥାନାରେ ଏତଲା ଦେଇଥିଲେ। ପୁଲିସ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ମାନିନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

About The Author: Madhusudan Das