ପିଇବା ପାଣି ଟୋପାଏ ପାଇଁ ଡହଳବିକଳ ଦିନମଜୁରିଆ

ଭୁବନେଶ୍ୱର: ପାଣି ଟୋପାଏ ପାଇଁ ଡହଳବିକଳ। ଖରାଦିନ ହେଉ ଅବା ଶୀତ। ଯେଉଁମାନଙ୍କ ଉଦ୍ଦେଶ୍ୟରେ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା, ସେମାନେ ହିଁ ଏହି ସୁବିଧାରୁ ବଞ୍ଚିତ। ଟ୍ୟାପ୍‍ ଅଛି, ଟାଙ୍କି ଅଛି, ହେଲେ ପାଣିର ସୁବିଧା ନାହିଁ। ବକେୟା ବିଦ୍ୟୁତ୍‍ ବିଲ୍‍ ପାଇଁ ବନ୍ଦ ରହିଛି ପିଇବା ପାଣିର ସୁବିଧା। ହଇରାଣ ହେଉଛନ୍ତି ଶହ ଶହ ଦିନମଜୁରିଆ। ପିଇବା ପାଣି ଟୋପାଏ ପାଇଁ ପଥଚାରୀଙ୍କଠାରୁ ଆରମ୍ଭ କରି ଦିନମଜୁରିଆ ଏ ଗଳିରୁ ସେ ଗଳିକୁ ଘୂରି […]

ଭୁବନେଶ୍ୱର: ପାଣି ଟୋପାଏ ପାଇଁ ଡହଳବିକଳ। ଖରାଦିନ ହେଉ ଅବା ଶୀତ। ଯେଉଁମାନଙ୍କ ଉଦ୍ଦେଶ୍ୟରେ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା, ସେମାନେ ହିଁ ଏହି ସୁବିଧାରୁ ବଞ୍ଚିତ। ଟ୍ୟାପ୍‍ ଅଛି, ଟାଙ୍କି ଅଛି, ହେଲେ ପାଣିର ସୁବିଧା ନାହିଁ। ବକେୟା ବିଦ୍ୟୁତ୍‍ ବିଲ୍‍ ପାଇଁ ବନ୍ଦ ରହିଛି ପିଇବା ପାଣିର ସୁବିଧା। ହଇରାଣ ହେଉଛନ୍ତି ଶହ ଶହ ଦିନମଜୁରିଆ। ପିଇବା ପାଣି ଟୋପାଏ ପାଇଁ ପଥଚାରୀଙ୍କଠାରୁ ଆରମ୍ଭ କରି ଦିନମଜୁରିଆ ଏ ଗଳିରୁ ସେ ଗଳିକୁ ଘୂରି ବୁଲୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା କରାଯାଉଥିଲେ ବି ସେ ସବୁ କେତେ ଫଳପ୍ରଦ ହେଉଛି, ତାହା ପ୍ରତି କାହାରି ଦୃଷ୍ଟିଗୋଚର ନାହିଁ। ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ନୟାପଲ୍ଲୀ ଅଞ୍ଚଳରେ। ବିଏମ୍‍ସି ପକ୍ଷରୁ ୨୦୧୬ ମସିହା ସ୍ୱାୟତ୍ତ ଶାସନ ଦିବସ ଅବସରରେ ୱାର୍ଡ ନଂ ୨୭ ଅନ୍ତର୍ଗତ ନୟାପଲ୍ଲୀ ଦୁର୍ଗାପୂଜା ପଡ଼ିଆ ନିକଟରେ ଦିନମଜୁରିଆମାନଙ୍କ ପାଇଁ ଶୁଦ୍ଧ ପାନୀୟଜଳ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ସେହି ସ୍ଥାନରେ ପ୍ରତ୍ୟେକ ଦିନ କାମ ଆଶାରେ ଶହ ଶହ ଶ୍ରମିକ ଅପେକ୍ଷା କରି ବସନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନମଜୁରିଆମାନେ ସେହିଠାରେ ରହିଥାନ୍ତି। ଏମିତିକି କିଛି ଲୋକ ସେହି ସ୍ଥାନରେ କାମ ମଧ୍ୟ କରୁଥାନ୍ତି। ମାତ୍ର ପିଇବା ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ସେମାନଙ୍କର ଆଜିକାଲିର ନୁହେଁ। ଦୀର୍ଘ ୬-୭ ମାସରୁ ଊର୍ଦ୍ଧ୍ବ ହେବ ଏଭଳି ଦଶା ଭୋଗୁଛନ୍ତି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦ ସୌଜନ୍ୟରେ ବିଶୁଦ୍ଧ ଏବଂ ଥଣ୍ଡା ପାନୀୟଜଳ ପାଇଁ ୧୬ଲକ୍ଷ ଟଙ୍କା ଅର୍ଥ ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ ଏବେ ତାହା ଅକାମୀ ହୋଇପଡ଼ିରହିଛି। କାମ କରିବା ସମୟରେ ଶୋଷ ମେଣ୍ଟାଇବା ଲାଗି ପାଣି ଟୋପାଏ ପାଇଁ ବୋତଲ ଧରି ବୁଲୁଛନ୍ତି ଶ୍ରମିକମାନେ। ଏମିତିକି କାମ କରୁଥିବାବେଳେ ଉଭୟ ମହିଳା ପୁରୁଷ ଓ ଛୋଟ ପିଲାମାନେ ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ନିକଟରେ କେଉଁଠି ପିଇବା ପାଣିର ସୁବିଧା ବି ନାହିଁ। ଗୋଟିଏ ବର୍ଷରେ ଏଭଳି ୪-୫ ଥର ସମସ୍ୟା ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିଏମ୍‍ସି ପକ୍ଷରୁ ବିଦ୍ୟୁତ୍‍ ବିଲ୍‍ ପୈଠ କରାଯାଇ ନ ଥିବାରୁ ଏବେ ପାଣି ବନ୍ଦ ହୋଇଯାଇଛି। ସେଠାରେ କାମ କରୁଥିବା ଲୋକଙ୍କ କହିବାନୁଯାୟୀ ବିଏମ୍‍ସି ପକ୍ଷରୁ ଅନେକ ଦିନ ଧରି ଅଚଳ ହୋଇ ପଡ଼ିଥିବା ଏହି ପାନୀୟଜଳର ସୁବିଧା ମିଳୁନି। ଏ ସମ୍ପର୍କରେ ବିଏମ୍‍ସି ଯନ୍ତ୍ରୀ ସରୋଜ ମହାପାତ୍ର କହିଛନ୍ତି ପିଇବା ପାଣିର ସମସ୍ୟା ନେଇ ଆମେ ଅବଗତ ଅଛୁ। ସମସ୍ୟାର ସମାଧାନ ପାଇଁ ଫାଇଲ୍‍ ଯାଇଛି। ୨-୩ ଦିନ ଭିତରେ ଏହି ସମସ୍ୟାର ସମାଧାନ କରାଯିବ।

About The Author: The Sakala