ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଗରିବ ଲୋକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ଯେ କେତେ କଷ୍ଟ ସହିବାକୁ ହୁଏ ତାହା ହୁଏତ କେହି ଅନୁଭବ କରି ନ ଥିବେ। ରାଜ୍ୟରେ ଦାଦନ ଶ୍ରମିକମାନଙ୍କ ଦୁଃଖଭରା କାହାଣୀକୁ କାନ୍ଭାସରେ ଜୀବନ୍ତ ରୂପ ଦେଇଛନ୍ତି ଯୁବ ଚିତ୍ରକର ସତ୍ୟରଞ୍ଜନ ଦାସ। ଚିତ୍ର ମାଧ୍ୟମରେ ଶହଶହ ଦାଦନ ଶ୍ରମିକମାନଙ୍କ ଯନ୍ତ୍ରଣାର ପ୍ରତିଟି ମୁହୂର୍ତ୍ତକୁ ସେ ଚିତ୍ରଣ କରିଛନ୍ତି। ଲକ୍ଷ୍ୟ ହେଉଛି ରାଜ୍ୟରେ ଶ୍ରମିକମାନେ ପରିବାର ଭରଣପୋଷଣ କରିବାକୁ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାର ହୃଦୟ ବିଦାରକ ଦୃଶ୍ୟକୁ ଲୋକଲୋଚନକୁ ଆଣିବା। କିଛିଦିନ ତଳେ ସତ୍ୟରଞ୍ଜନ ନିଜେ ମଧ୍ୟ ଏହାର ଶିକାର ହୋଇଥିଲେ। ଯାହା ତାଙ୍କୁ ଦାଦନ ମାନଙ୍କ ସମ୍ପର୍କରେ ଅଧିକରୁ ଅଧିକ ଗବେଷଣା କରିବାକୁ ସୁଯୋଗ ଦେଇଥିଲା।
ବାଲିଅନ୍ତା ବ୍ଲକ୍ ବ୍ରାହ୍ମଣ ସୁଆଁଲୋ ଗ୍ରାମର ସୁଦର୍ଶନ ଦାସ ଓ ବାସନ୍ତୀ ଦାଶଙ୍କ ପୁଅ ସତ୍ୟରଞ୍ଜନ ଭୁବନେଶ୍ୱରସ୍ଥିତ ବିକେ ଆର୍ଟ କଲେଜରେ ଗ୍ରାଜୁଏସନ୍ ସାରିବା ପରେ ନୂଆଦିଲ୍ଲୀସ୍ଥିତ କଲେଜ ଅଫ୍ ଆର୍ଟରେ ପିଜି କରିଛନ୍ତି। କଳାକୁ ନେଇ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ସତ୍ୟରଞ୍ଜନଙ୍କର ୨ଦିନ ପରେ ଥିଲା ପ୍ରବେଶିକା ପରୀକ୍ଷା। ଦିଲ୍ଲୀ ଯିବା ସମୟରେ ଟ୍ରେନ୍ରେ ଟିକେଟ୍ କନଫର୍ମ ନ ହେବାରୁ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଛିଡ଼ା ହୋଇ ଯାଇଥିଲେ। ସେଦିନର ଏହି ଯନ୍ତ୍ରଣାକୁ କେବଳ ସତ୍ୟରଞ୍ଜନ ଅନୁଭବ କରି ନ ଥିଲେ ବରଂ ୫୦ରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକମାନନଙ୍କର ସମାନ ପରିସ୍ଥିତି ତାଙ୍କୁ ବ୍ୟଥିତ କରିଥିଲା। ମୁଣ୍ଡରେ ବୋଝ ମୁଣ୍ଡାଇ ଧାଡ଼ି ହୋଇ ଚାଲିଚାଲି ଯାଉଥିବା ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାଭିତ୍ତିକ ଦୃଶ୍ୟକୁ ସେ ନିଜ କାନଭାସରେ ଚିତ୍ରଣ କରିବାକୁ ଲାଗିଲେ। ଧୀରେ ଧୀରେ ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କ କଷ୍ଟ ଯନ୍ତ୍ରଣା ଭରା କାହାଣୀକୁ ନେଇ ୱାଟାର କଲର ମାଧ୍ୟମରେ ଜୀବନ୍ତ ରୂପ ଦେଇଥିଲେ। ଯାହା ସତ୍ୟରଞ୍ଜନଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ସେହିପରି ଗାଁରେ ଚାଷ ଛାଡ଼ି ଚାଲିଯାଇଥିବା ଦାଦନମାନଙ୍କୁ ଫେରାଇ ଆଣିବାକୁ କରୋନା କାଳରେ ୮୫ଟି ପାଳଭୂତ ନିର୍ମାଣ କରିଥିଲେ। ଏହାସହ ଜନସଂଖ୍ୟା ବୃଦ୍ଧି, ପରିବେଶ ଦୂଷିତ ଆଦି ଉପରେ ମଧ୍ୟ ଅନେକ ସଚେତନତା ଚିତ୍ର କରି ଲୋକଲୋଚନକୁ ଆସିଛନ୍ତି ସତ୍ୟ। ତାଙ୍କର ଏଭଳି ପ୍ରୟାସ ପାଇଁ ରାଜ୍ୟପାଳଙ୍କ ଦ୍ୱାରା ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି। ଆଗକୁ ଦାଦନମାନଙ୍କ ସମସ୍ୟାକୁ ନେଇ ଆହୁରି ଅନେକ ଗବେଷଣା ସାଙ୍ଗକୁ ସେମାନଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସତ୍ୟରଞ୍ଜନ କହିଛନ୍ତି।