ରାଜ୍ୟର ପ୍ରଥମ ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ: କଟକ ବିକାଶରେ ଯୋଡ଼ି ହୋଇଛି  ନୂଆ ଅଧ୍ୟାୟ। ଲୋକାର୍ପିତ ହୋଇଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲ। ଖାନନଗରଠାରେ ନବନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥି ସହିତ ନୂଆ ବସଷ୍ଟାଣ୍ଡରୁ ପୁରୀକୁ ଗଡ଼ିଥିବା ପ୍ରଥମ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ କଟକରେ ପହଞ୍ଚି ଏକ ନିରାଡ଼ମ୍ବର ଉତ୍ସବରେ ବସ୍‌‌ ଟର୍ମିନାଲକୁ ଲୋକାର୍ପଣ କରିବା ସହ […]

କଟକ: କଟକ ବିକାଶରେ ଯୋଡ଼ି ହୋଇଛି  ନୂଆ ଅଧ୍ୟାୟ। ଲୋକାର୍ପିତ ହୋଇଛି ରାଜ୍ୟର ପ୍ରଥମ ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲ। ଖାନନଗରଠାରେ ନବନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥି ସହିତ ନୂଆ ବସଷ୍ଟାଣ୍ଡରୁ ପୁରୀକୁ ଗଡ଼ିଥିବା ପ୍ରଥମ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ କଟକରେ ପହଞ୍ଚି ଏକ ନିରାଡ଼ମ୍ବର ଉତ୍ସବରେ ବସ୍‌‌ ଟର୍ମିନାଲକୁ ଲୋକାର୍ପଣ କରିବା ସହ ଅନ୍ୟ ୧୩ ପ୍ରକଳ୍ପର ଉଦ୍‌‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ସନସାଇନ ପଡ଼ିଆ ଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ବସ୍‌ ଟର୍ମିନାଲରେ ପହଞ୍ଚି ଥିଲେ। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଭର୍ତ୍ତୃହରି ମହତାବ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ କମିସନର ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଅଛନ୍ତି।

ବହୁପ୍ରତୀକ୍ଷିିତ କଟକର ଖାନ୍‌ନଗରସ୍ଥିତ ନେତାଜୀ ବସ ଟର୍ମିନାଲ ୧୫ ଏକର ପରିମିତ ଜମି ଉପରେ ନିର୍ମିତ। ଏହି ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି ୯୦.୨ କୋଟି ଟଙ୍କା । ଏଠାରେ ୧୯୨ ଟି ବସର ରହଣି ଓ ଯାତାୟାତ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ପ୍ରତୀକ୍ଷାଳୟ, ବିଶ୍ରାମ କକ୍ଷ, ଆହାର କେନ୍ଦ୍ର, ହାଇଜେନିକ ଷ୍ଟଲ୍, ପୁରୁଷ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟିକେଟ କାଉଣ୍ଟରର ସୁବିଧା ରହିଛି । ଇଲୋକ୍ଟ୍ରୋନିକ ସୂଚନା ବ୍ୟବସ୍ଥା ମଧ୍ୟକରାଯାଇଛି । ସିସିଟିଭି ସହ ଟର୍ମିନାଲ ମଧ୍ୟରେ ଏକ ପୁଲିସ ଆଉଟ ପୋଷ୍ଟ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିବ । ଟର୍ମିନାଲରେ ମିଶନ ଶକ୍ତି କାଫେ, ଆହାର କେନ୍ଦ୍ର, ଏଟିଏମ୍ ,ମୋବାଇଲ ଚାର୍ଜିଂ ପଏଣ୍ଟ ଭଳି ସୁବିଧା ରହିଛି ।

ଉଦଘାଟିତ ହେଲା ୩୪୧ କୋଟିର ୧୦ ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୪୧ କୋଟି ଟଙ୍କାର ୧୦ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ।ଏହି ପ୍ରକଳ୍ପଗୁଡିକ ମଧ୍ୟରେ ୯୦.୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନେତାଜୀ ବସ୍‌‌ ଟର୍ମିନାଲ, ୮୮.୩୧ କୋଟି ଟଙ୍କା ବ୍ୟୟରେ ଆର୍ଥିକ ଦୁର୍ବଳ ବର୍ଗ ଓ ସ୍ୱଳ୍ପ ରୋଜଗାରକ୍ଷମ ଲୋକଙ୍କ ପାଇଁ ନରଣପୁରଠାରେ ନିର୍ମିତ ସୁଲଭ ଗୃହ ପ୍ରକଳ୍ପ, ୯.୭୨ କୋଟି ବ୍ୟୟରେ ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ସିଲଭରସିଟି ବୋଟ୍‌‌ କ୍ଲବ୍‌‌, ପର୍ଯ୍ୟଟନ ବିଭାଗ ଦ୍ୱାରା ୫.୨୩ କୋଟି ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ପାର୍ଶ୍ବରେ ଫୁଡକୋର୍ଟ ଓ ୱାଟର ସ୍ପୋର୍ଟସ୍‌‌ ଜୋନ୍‌‌ ଉଦଘାଟିତ ହୋଇଛି।  ସେହିଭଳି ୩.୨୨ କୋଟି ବ୍ୟୟରେ ସିଏମସି ପକ୍ଷରୁ ନିର୍ମିତ ଛତ୍ରବଜାର ଅର୍ବାନ ହାଟ, ପୂର୍ତ୍ତ ବିଭାଗ ଦ୍ୱାରା ୫୪ ଲକ୍ଷ ଟଙ୍କା ବ୍ୟୟରେ ରାଣୀହାଟ କ୍ଲକ ଟାୱାର, ୨୩.୩୫ କୋଟି ବ୍ୟୟରେ ପୂର୍ତ୍ତ ବିଭାଗ ଦ୍ୱାରା ତାଳଦଣ୍ଡା ଉପରେ ଏକାଧିକ ନିର୍ମିତ ପୋଲ, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୬୬.୬୫ କୋଟି ବ୍ୟୟରେ ନିର୍ମିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ମହାନଦୀ କ୍ୟାମ୍ପସର ଏକାଡେମିକ ବ୍ଲକ ଓ ହଷ୍ଟେଲ-୧ ଏବଂ ୨, ୩୦କୋଟି ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନୂତନ ପାଠାଗାର ଏବଂ ୨୩.୮୫ କୋଟି ଟଙ୍କା ବ୍ୟୟରେ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ ଆଦି ଉଦଘାଟିତ ହୋଇଛି।

୨୦୦ କୋଟିର ନୂଆ ପ୍ରକଳ୍ପ ଶିଳାନ୍ୟାସ

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦ କୋଟି ଟଙ୍କାର ନୂତନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଭେଟି ଦେଇଛନ୍ତି । ସେଥି ମଧ୍ୟରୁ ୧୨୩ କୋଟି ଟଙ୍କା ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ କେନ୍ଦ୍ର, ଗେଷ୍ଟ ହାଉସ୍‌‌, କ୍ରିକେଟ୍‌‌ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସିଏମସି ପକ୍ଷରୁ ୪୫.୧୯ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ଓ ସର୍ବସାଧାରଣଙ୍କ ନିମନ୍ତେ ଏକାଧିକ ପ୍ରକଳ୍ପ ଯଥା ଫୁଟପାଥ୍‌‌, ପାର୍କ, ସଂଗ୍ରହାଳୟ, ଭେଣ୍ଡିଂଜୋନ, ପାନୀୟ ଜଳ ପ୍ରକଳ୍ପ, ଶୌଚାଳୟ ଓ ବସ୍‌‌ ଷ୍ଟପ୍‌‌ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।  ଏହାଛଡା ପୂର୍ତ୍ତ ବିଭାଗ ପକ୍ଷରୁ ୮.୯୫ କୋଟି ଟଙ୍କା ବିନିମୟରେ ଜାତୀୟ ରାଜପଥରୁ ପୂର୍ବ ପଟ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ୪ ଲେନ୍‌‌ ବିଶିଷ୍ଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  ମୁଖ୍ୟମନ୍ତ୍ରୀ।

About The Author: The Sakala