କଟକ : କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ପରେ ସାରା ଦେଶରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ସମଗ୍ର ଦେଶ ସହ ଓଡିଶାର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଡାକ୍ତର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀ ସେବା ପ୍ରଭାବିତ ହୋଇଛି । କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର।
ଡାକ୍ତରମାନଙ୍କ ଆନ୍ଦୋଳନ ଫଳରେ ଜରୁରିକାଳୀନ ଚିକିତ୍ସାକୁ ଛାଡ଼ି ଅନ୍ୟ ସମସ୍ତ ବିଭାଗ ସେବା ପ୍ରଭାବିତ ହୋଇଛି । ଜୁନିୟର ଡାକ୍ତର, ରେସିଡେଣ୍ଟ ଡାକ୍ତର ଆନ୍ଦୋଳନ ଚଳାଇଥିବା ବେଳେ ଏମିବିବିଏସ୍ ଛାତ୍ରଛାତ୍ରୀ ବି ସେମାନଙ୍କୁ ସମର୍ଥନ କରିଛନ୍ତି । ଫଳରେ ଆଉଟ ଡୋର୍ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଯାହାକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଏସସିବି ଅଧୀକ୍ଷକ । ସେ କହିଛନ୍ତି, ଅତି ଜରୁରୀ ନଥିଲେ ଏସସିବି ଆସନ୍ତୁ ନାହିଁ । କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କିଛି କହି ହେବନି କ’ଣ ହେବ । ଏପଟେ ସମସ୍ତ ଫ୍ୟାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି ।
ସେପଟେ ଆସନ୍ତାକାଲି ସାରା ଦେଶରେ ଡାକ୍ତର ଆନ୍ଦୋଳନ ହେବାକୁ ଥିବାବେଳେ ଓଡ଼ିଶା ପରିପ୍ରେକ୍ଷୀରେ ମତ ରଖିଛନ୍ତି DMET ନିର୍ଦେଶକ ଡାକ୍ତର ସନ୍ତୋଷ ମିଶ୍ର। ସେ କହିଛନ୍ତି କି ସରକାରୀ ଚାକିରୀରେ ଥିବା ଡାକ୍ତର ଆନ୍ଦୋଳନ କରିବେନି। କେବଳ ମେଡିକାଲ କଲେଜ ଜୁନିଅର ଡାକ୍ତର ଓ ହାଉସ ସର୍ଜନ ଆନ୍ଦୋଳନ କରିବା ନେଇ ଜଣାଇଛନ୍ତି। ଜରୁରୀକାଳୀନ କାମ ସମସ୍ତେ କରିବେ। ଯେଉଁ ଫ୍ୟାକଲଟି ଡାକ୍ତର ଅର୍ଥାତ ସିନିଅର ଡାକ୍ତରମାନେ ଅଛନ୍ତି, ସେମାନେ ଆଉଟଡୋର ବା ଇଣ୍ଡୋର କାମ ଦେଖିବେ। ଡାକ୍ତରୀ ସେବା ନିଶ୍ଚିତ ଭାବେ ପ୍ରଭାବିତ ହେବ। ହେଲେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ଅଧିକ କାମ କରିବାକୁ ପଡିବ। କେତେ ଦିନ ଆନ୍ଦୋଳନ କରିବେ, ତାହା ସେମାନେ ସ୍ପଷ୍ଟ କରି ନାହାନ୍ତି। ହୁଏତ ସେମାନେ ଆନ୍ଦୋଳନ ଅଧିକ ଦିନ ଜାରି ରଖି ପାରନ୍ତି। ଜଲଦି ଏହା ସମାଧାନ ହେବ ବୋଲି ଆଶା କରୁଛୁ ବୋଲି ଡିଏମଇଟି କହିଛନ୍ତି।