ଭୁବନେଶ୍ବର: ଦିନକୁ ଦିନ ଅସଡ୍ୟ ହେଉଛି ବଜାର ତାତି। ଏହି ବଜାର ତାତି ଏବେ ଖରା ତାତିକୁ ବଳିଗଲାଣି। ମହଙ୍ଗା ମାଡ଼ରେ ବଜାର ଗରମ। ବଜାରର ଏଭଳି ସ୍ଥିତିରେ ଖାଉଟି ଅସହାୟ। କାରଣ ଖୁଚୁରା ବଜାରରେ ବର୍ତ୍ତମାନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅଟା ଚୁଡ଼ା, ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଇତିମଧ୍ୟରେ ଚାଉଳ କିଲୋ ପିଛା ୩୫, ଚୁଡା ୪୦ ଟଙ୍କା ଏବଂ ଅଟା ଅଟା କିଲୋ ୪୫ ଟଙ୍କା ଉପରେ ବିକ୍ରି ହେଉଛି। ଗହମ ଯୋଗାଣ ଜନିତ ସମସ୍ୟା ବଜାରରେ ଏକ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି କରିଛି। ଯାହାର ଫଳ ସ୍ବରୂପ ଅଟା ଦର ବଢ଼ି ବଢ଼ି ଚାଲିଛି। ସ୍ଥିତି ଏବେ ଏମିତି ହୋଇଛି ଯେ, କେତେବେଳେ ଗରିବଙ୍କ ତାୱାରୁ ରୁଟି ଉଭାନ୍ ହୋଇଯିବ ତାହା କହିବା ମୁସ୍କିଲ୍। ଦେଶର ଖୁଚୁରା ବଜାର ବର୍ତ୍ତମାନ କର୍ପୋରେଟ୍ ସଂସ୍ଥାଗୁଡିକର ନିୟନ୍ତ୍ରଣରେ ରହିଛି। ଆହୁରି ଏଥିରେ ଦାଉ ସାଧୁଛି ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ)। ଏଫ୍ସିଆଇ ବଜାରକୁ ଚାଉଳ ଏବଂ ଗହମ ଛାଡୁନାହିଁ। ଏହାର ପ୍ରଭାବରେ ବଜାରରେ ରକେଟ୍ ଭଳି ବଢ଼ିବାରେ ଲାଗିଛି ଅଟା, ସୁଜି ଏବଂ ମଇଦା ଦର। ଏଭଳି ବଜାର ସ୍ଥିତିକୁ ଦେଖି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟବସାୟୀ ମହାସଂଘ ସରକାରଙ୍କୁ ଅନୁରୋଧ କରିଛି। ନଚେତ୍ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ମହାସଂଘ ଚେତାଇ ଦେଇଛି।
ଖୁଚୁରା ବଜାରରେ ଚାଉଳ ଏବଂ ଅଟା ଦର ବଢ଼ିବାରେ ଲାଗିଥିବାବେଳେ ଗୋଦାମରୁ ଏଫସିଆଇ ଏ ଯାଏ ଗହମ ଏବଂ ଚାଉଳ ଖୋଲା ବଜାରକୁ ଛାଡୁନାହିଁ। ଯାହାଫଳରେ ବିଚାରା ଖାଉଟି କଲବଲ ହେଉଛନ୍ତି। ସେପଟେ ବିରୋଧୀ ଦଳଗୁଡିକ ଦରଦାମ ବୃଦ୍ଧିକୁ କେନ୍ଦ୍ରର ଅପରାଗତା ବୋଲି କହୁଛନ୍ତି। ଖୋଲା ବଜାରକୁ ଚାଉଳ ଓ ଗହମ ନ ଆସିଲେ ଦେଶରେ ଖାଦ୍ୟାନ୍ନ ଅଭାବ ଦେଖାଦେବ ବୋଲି ଅର୍ଥନୀତି କ୍ଷେତ୍ରର ବିଶେଷଜ୍ଞ କହିଛନ୍ତି। ବିଶେଷଜ୍ଞମାନଙ୍କ ମତରେ ଏବେ କର୍ପୋରେଟ୍ ସଂସ୍ଥାଗୁଡିକର ହାତରେ ଖୁଚୁରା ବଜାର। ଉତ୍ପାଦନ ଭଲ ହୋଇଥିଲେ ବି କର୍ପୋରେଟ୍ ସଂସ୍ଥାଗୁଡିକ ବଜାର ଦରକୁ ଉପର ତଳ କରୁଛନ୍ତି।
ଅପରପେକ୍ଷ ଘରୋଇ ବଜାରରେ ଦେଖାଦେଉଥିବା ଚାହିଦା ପୂରଣ କରିବା ଲାଗି ପ୍ରତ୍ୟେକ ବର୍ଷ ଜୁନ୍ ଓ ଜୁଲାଇରେ ଏଫ୍ସିଆଇ ପ୍ରତି ରାଜ୍ୟକୁ ବହୁ ପୂର୍ବରୁ ଗହମ ଓ ଚାଉଳ ଆବଣ୍ଟନ କରି କରିଦେଇଥାଏ। କିନ୍ତୁ ଚଳିତ ବର୍ଷ ସ୍ଥିତି ଓଲଟା। ଗହମ ଅଭାବରୁ ଖୁଚୁରା ବଜାରରେ ଅଟା, ସୁଜି, ମଇଦା ଓ ଗହମଜାତ ସାମଗ୍ରୀଗୁଡିକର ଦର ରକେଟ୍ ଭଳି ବଢିଚାଲିଛି। ତଥାପି ଏଫ୍ସିଆଇର କମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ। ଏମିତି ନିଲାମି ପ୍ରକ୍ରିୟା କରାଯାଇଛି, ତାହା ବ୍ୟବସାୟୀଙ୍କୁ ଦ୍ବନ୍ଦ୍ବରେ ପକାଇଛି। କେବେ ସରିବ ନିଲାମ ଶେଷ ହେବ ଆଉ ଖୋଲା ବଜାରକୁ ଗହମ ଓ ଚାଉଳ ଆସିବ ତାହା କହି ହେଉନାହିଁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବଢ଼ିବା ପରେ ଚାଉଳ ଓ ଚୁଡ଼ା ଦର ବି ବଢିଚାଲିଛି। ବଜାରର ଏପରି ସ୍ଥିତି ଦେଖି ରାଜ୍ୟ ବ୍ୟବସାୟୀ ମହାସଂଘ ଉଦବେଗ ପ୍ରକାଶ କରିଛି। ଆଗାମୀ ୧୫ଦିନ ଭିତରେ ଯଦି ଏଫ୍ସିଆଇ ଓ କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନ ନିଅନ୍ତି ତାହେଲେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସଂଘ ଚେତାଇ ଦେଇଛି।
ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ମହଙ୍ଗା ବଜାର ଦର ଯୋଗୁ ବର୍ତ୍ତମାନ ଖାଉଟି ସୂଚକାଙ୍କ ଏବେ ୬ପ୍ରତିଶତ ଓ ପାଇକାରୀ ସୂଚକାଙ୍କ ୧୨ ପ୍ରତିଶତ ଟପିଲାଣି। ଦରଦାମ ବୃଦ୍ଧିର କାରଣ ନେଇ ସରକାରୀ ରିପୋର୍ଟକୁ କେନ୍ଦ୍ର ସରକାର ଜାଣିଶୁଣି ପ୍ରକାଶ କରୁନାହାନ୍ତି। ଏଫ୍ସିଆଇ ଓଡ଼ିଶାକୁ ଲଗାତର ଅବହେଳା କରିଆସିଛି। ଯଦି ଓଡ଼ିଶା ପାଇଁ ଆବଣ୍ଟନ ନେଇ ପ୍ରେସ୍ ଇସ୍ତାହାରରେ ଉଲ୍ଲେଖ ରହୁଛି। କିନ୍ତୁ ସମ୍ପୃକ୍ତ ପୋର୍ଟାଲରେ କାହିଁକି ଗହମ ଓ ଚାଉଳ ପରିମାଣ ଉଲ୍ଲେଖ କରୁନାହିଁ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି।