ଶବଙ୍କ ଶେଷ ସାଥୀ ୪ ବନ୍ଧୁ

ସୁନ୍ଦରଗଡ଼: ମୃତ୍ୟୁ ହିଁ ଏକମାତ୍ର ସତ୍ୟ | ଧନୀ ହେଉ କି ଗରିବ; ସମସ୍ତଙ୍କୁ ଦିନେ ନା ଦିନେ ଛାଡ଼ି ଯିବାକୁ ହେବ ଏ ସୁନ୍ଦର ପୃଥିବୀ | ତେଣୁ ଶବକୁ ଶେଷ ସମ୍ମାନ ଦେବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ । ମାତ୍ର କରୋନାର ହିତୀୟ ଲହର ଏତେ ଉତ୍କଟ ଆକାର ଧାରଣ କରିଛି ଯେ ବନ୍ଧୁ ପରିଜନ ତ ଦୂରର କଥା, ନିଜ ପରିବାର ଲୋକ ବି ଆତ୍ମୀୟର ଶବ ପାଖେ ଛିଡ଼ା ହେବାକୁ […]

ସୁନ୍ଦରଗଡ଼: ମୃତ୍ୟୁ ହିଁ ଏକମାତ୍ର ସତ୍ୟ | ଧନୀ ହେଉ କି ଗରିବ; ସମସ୍ତଙ୍କୁ ଦିନେ ନା ଦିନେ ଛାଡ଼ି ଯିବାକୁ ହେବ ଏ ସୁନ୍ଦର ପୃଥିବୀ | ତେଣୁ ଶବକୁ ଶେଷ ସମ୍ମାନ ଦେବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ । ମାତ୍ର କରୋନାର ହିତୀୟ ଲହର ଏତେ ଉତ୍କଟ ଆକାର ଧାରଣ କରିଛି ଯେ ବନ୍ଧୁ ପରିଜନ ତ ଦୂରର କଥା, ନିଜ ପରିବାର ଲୋକ ବି ଆତ୍ମୀୟର ଶବ ପାଖେ ଛିଡ଼ା ହେବାକୁ ଭୟ କରୁଛନ୍ତି। କେବଳ ମୁଖାଗ୍ନି ଦେବାକୁ ନୁହେଁ; ବରଂ ଶବ ସତ୍କାର ପରେ ଅସ୍ଥି ସଂଗ୍ରହ କରିବାକୁ ବି କୁଣ୍ଠିତ ହେଉଛନ୍ତି। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ କରୋନା ମୃତକଙ୍କ ଶେଷ ସାଥୀ ହେବାକୁ ଆଗେଇ ଆସିଛନ୍ତି ସୁନ୍ଦରଗଡ଼ ଅଞ୍ଚଳର ୪ ବନ୍ଧୁ। ପେଷାରେ କିଏ ଔଷଧ ବ୍ୟବସାୟୀ ତ ଆଉ କିଏ ଷ୍ଟେସନାରୀ ଓ ପରିବହନ ବ୍ୟବସାୟୀ; ପୁଣି କିଏ ଲଜିଂ ଓ ରେସ୍ତୋରାଁ ବ୍ୟବସାୟରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି। ସମସ୍ତେ ଭିନ୍ନ ଭିନ୍ନ ପେଷାରୁ ଆସିଥିଲେ ବି ନିଶା ସେମାନଙ୍କର ଶବ ସତ୍କାର | ଆଜିକୁ ୧୫ ବର୍ଷରୁ ଅଧିକ ସମୟ ହେବ ଜିଲ୍ଲାର ଯେକୌଣସି ସ୍ଥାନରେ ନିରାଶ୍ରିତଙ୍କ ଶବ ଦେଖିଲେ ସେମାନେ ସତ୍କାର କରିବାକୁ ଆଗେଇ ଆସନ୍ତି । ହେଲେ କରୋନା ଯୋଗୁଁ ଏବେ ଏହି ନିଶା କର୍ତ୍ତବ୍ୟ ଓ ଦାୟିତ୍ୱରେ ପରିଣତ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ଯେକୌଣସି କରୋନା ରୋଗୀର ମୃତ୍ୟୁ ହେଲେ ଖୋଜା ପଡୁଛନ୍ତି ଏହି ଚାରି ବନ୍ଧୁ ସିଦ୍ଧାନ୍ତ କୁମାର ପଣ୍ଡା, ଶିଶିର କୁମାର ବେହେରା, ମନୋଜ କୁମାର ତ୍ରିପାଠୀ, କମଲେଶ ନଥାନୀ। ଘରୋଇ ସଙ୍ଗରୋଧରେ କରୋନା ରୋଗୀର ମୃତ୍ୟୁ ହେଉ କି ଡାକ୍ତରଖାନାରେ କରୋନା ମୃତକ; ଶବ ସତ୍କାର କରୁଛନ୍ତି ଏହି ୪ ସାଙ୍ଗ। ସବୁଠାରୁ ବଡ଼ କଥା ହେଲା, ଏଥିପାଇଁ ଏମାନେ ନା ତ କେବେ କରୋନା ଯୋଦ୍ଧା ଟ୍ୟାଗର ଆବଶ୍ୟକତା ଲୋଡ଼ିଛନ୍ତି ନା ଜିଲ୍ଲା ପ୍ରଶାସନଠାରୁ ଆର୍ଥିକ ସହାୟତା । ଇତିମଧ୍ୟରେ ଏହି ୪ ବନ୍ଧୁ ୩୦୦ରୁ ଅଧିକ କରୋନା ମୃତକଙ୍କ ସତ୍କାର କରି ସାରିଲେଣି। କେବଳ ସେତିକି ନୁହେଁ କରୋନା ରୋଗୀଙ୍କ ସତ୍କାର ପରେ ପାଉଁଶକୁ ବି ଉପଯୁକ୍ତ ସମ୍ମାନ ଦେଇ ଏହାକୁ କଳସରେ ସଂଗ୍ରହ କରି ରଖ୍ ଧୂପ ଦୀପ ଦେଉଛନ୍ତି। ଏ ବାବଦରେ ସିଦ୍ଧାନ୍ତ କୁମାର ପଣ୍ଡା କହନ୍ତି, ୨୦୨୦ କରୋନା ଆରମ୍ଭରୁ ହିଁ ଆମେ ୪ ବନ୍ଧୁ ଏହି କାମରେ ଅଛୁ। ପ୍ରଥମ ଲହର ବେଳେ ୭୮ ଜଣଙ୍କ ସତ୍କାର କରିଥିଲା ବେଳେ ଏବେ ୨୪୦ରୁ ଅଧିକ ମୃତକଙ୍କ ସତ୍କାର କରି ସାରିଲୁଣି। ଏଥିପାଇଁ ଆମେ ଜିଲ୍ଲା ପ୍ରଶାସନଠାରୁ ଟଙ୍କାଟିଏ ବି ଆର୍ଥିକ ସହାୟତା ନେଉନ୍ମ। ଏହା କେବଳ ଆମର ସେବା ନୁହେଁ; କର୍ତ୍ତବ୍ୟ ମଧ୍ୟ। ପ୍ରତିଦିନ ସକାଳ ୮ରୁ ରାତି ୧୨ ପର୍ଯ୍ୟନ୍ତ ଏହି କାମ ଚାଲେ | ଏବେ ଲକ୍‌ଡାଉନ୍ ଥିବାରୁ ଆମକୁ ଅଧିକ ସମୟ ମିଳୁଛି। ସକାଳୁ ଆସି ଜୁଇ ସଜାଡିବାଠାରୁ ପାଉଁଶ ସଂଗ୍ରହ, ଶବମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ଯାଇ ସେମାନଙ୍କୁ କଳସରେ ରଖିବା, ନାମ, ଠିକଣା ଫୋନ୍‌ମ୍ବର ଲେଖିବା, ମୃତକଙ୍କ ପଞ୍ଜିକରଣ କରିବା, ସଙ୍ଗରୋଧରେ ରହି ମୃତ୍ୟୁ ହେଉଥିବା ଶବକୁ ଉଦ୍ଧାର କରିବା ଭଳି ଯାବତୀୟ କାମ କରୁଛୁ । ୭୦ରୁ ଅଧିକ ମୃତକଙ୍କୁ ନିଜେ ମୁଖାଗ୍ନି ମଧ୍ୟ ଦେଲୁଣି। ଏବେବି ୪୦ରୁ ଅଧିକ ଶବର ଅସ୍ଥିକୁ ତାଙ୍କ ପରିବାର ଲୋକେ ନେଇନାହାଁନ୍ତି। ଜିଲ୍ଲା ପ୍ରଶାସନର ଅନୁମତିରେ ଏସବୁକୁ ଆମେ ଜୁନ୍ ୨ରେ ଆହ୍ଲାହାବାଦ୍ ଯାଇ ସାମୂହିକ ବିସର୍ଜନ କରିବାକୁ ଚିନ୍ତା କରିଛୁ | ଜିଲ୍ଲା ମୁଖ୍ୟାଳୟକୁ ଛାଡି ଆମେ ୧୦୦ କିଲୋମିଟର ପରିଧୂ ଭିତରେ ଯଦି କରୋନା ମୃତକଙ୍କ ସୂଚନା ପାଉଛୁ, ତେବେ ସେଠାରେ ଯାଇ ମଧ୍ୟ ଶବ ସତ୍କାର କରୁଛୁ। ହିନ୍ଦୁ ରୀତି ନୀତି ହିସାବରେ ମୃତକଙ୍କ ସତ୍କାରରେ ସାମିଲ ହେଲେ ଯେଉଁସବୁ ନୀତି ନିୟମ ମାନିବାକୁ ପଡ଼େ ସେସବୁ ବି ମାନୁଛୁ।

ଏସବୁ ଭିତରେ ଏପ୍ରିଲ ୧୪ ତାରିଖରୁ ଅଦ୍ୟାବଧୂ ନିଜ ପରିବାରଠାରୁ ଦୂରେଇ ରହିଛନ୍ତି ୪ ବନ୍ଧୁ। ପିପିଇ କିଟ୍ ପିନ୍ଧି ପ୍ରତିଦିନ କରୋନା ଶବ ସତ୍କାର କରୁଥିବା ବେଳେ ସଂକ୍ରମଣ ଭୟରେ ଏମାନେ ପରିବାରକୁ ଯାଉନାହାଁନ୍ତି । ସଙ୍ଗରୋଧ ହୋଇ ନିଜେ ବାହାରେ ରହି ପ୍ରଶାସନକୁ ଏଭଳି ବିପରିରେ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏସବୁକୁ ଛାଡ଼ିଦେଲେ ସେମାନେ ଲୋକଙ୍କୁ ମାଗଣାରେ ଅକ୍ସିଜେନ୍‌ ସିଲିଣ୍ଡର ମଧ୍ୟ ଯୋଗାଉଛନ୍ତି।

About The Author: The Sakala