ଭୁବନେଶ୍ୱର: ଦୀର୍ଘ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଲେ ଓଡ଼ିଶା ମୋଟର ଯାନ ବିଭାଗ କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆ (୩୧)। ଗୁରୁତର ପୋଡ଼ାଜଳା ଆଘାତ ସହ ଭୁବନେଶ୍ୱର ସ୍ଥିତ ଏମ୍ସ (AIIMS) ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଶୁକ୍ରବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ଗତ ଜୁନ ୫ ତାରିଖରେ ଏକ ଘରୋଇ କଳହକୁ କେନ୍ଦ୍ର କରି ତାଙ୍କ ପତ୍ନୀ ଓ ଶାଳକ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଗତ ଦୁଇ ଦିନ ଧରି ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖିଥିଲେ, କିନ୍ତୁ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଛତ୍ରପୁରରେ କାର୍ଯ୍ୟରତ ଥିବା ଶ୍ରୀ ମୃଦୁଙ୍ଗିଆ ବ୍ରହ୍ମପୁର ପୋଲିସ କଲୋନୀ ସ୍ଥିତ ନିଜ ପତ୍ନୀଙ୍କ ସରକାରୀ ବାସଭବନକୁ ଯାଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା। ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ଦେଇଥିବା ବୟାନ ଅନୁଯାୟୀ, ପତ୍ନୀ ସନ୍ଧ୍ୟା ନାୟକ ଏବଂ ଶାଳକ ଦିବସ ନାୟକ ମିଶି ତାଙ୍କ ଉପରେ ପେଟ୍ରୋଲ ଢାଳି ଦେଇଥିଲେ। ସେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଶାଳକ ଏକ ଦିଆସିଲି ମାରି ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିଯିବା ପରେ ସେ ଜୀବନ ବିକଳରେ ସିଡ଼ିରୁ ତଳକୁ ଦୌଡ଼ି ଆସି ଜଣେ ପଡ଼ୋଶୀଙ୍କ ଘରେ ପଶିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ହାବିଲଦାର ମଧ୍ୟ ଆହତ ହୋଇଥିଲେ। ଏହି ଆକ୍ରମଣରେ ଆଶୁତୋଷଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିଲା।
ଅନ୍ୟପଟେ ଆଶୁତୋଷଙ୍କ ମୃତ୍ୟୁ ପରେ ବ୍ରହ୍ମପୁର ପୋଲିସ ଉପରେ ବର୍ଷିଲେ ପରିବାର । ପତ୍ନୀ ସନ୍ଧ୍ୟା ଓ ଶାଳକଙ୍କ ବିରୋଧରେ ଆକ୍ସନ ନହେବାରୁ ଅସନ୍ତୋଷ କରିବା ସହ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ ।
ସୂଚନାଯୋଗ୍ୟ ଯେ, ଗତ ମେ ୧୮ ତାରିଖରେ ପତ୍ନୀଙ୍କ ଅଭିଯୋଗ କ୍ରମେ ପାରିବାରିକ ହିଂସା ମାମଲାରେ ଆଶୁତୋଷ ଗିରଫ ହୋଇଥିଲେ। ଜୁନ ୨ ତାରିଖରେ ସେ ଜାମିନରେ ମୁକୁଳିବାର ମାତ୍ର ତିନି ଦିନ ପରେ ଏହି ମର୍ମନ୍ତୁଦ ଘଟଣା ଘଟିଥିଲା। ତାଙ୍କ ମୃତ୍ୟୁ ପରେ ଘଟଣାଟି ଏବେ ଏକ ହତ୍ୟା ମାମଲାରେ ପରିଣତ ହୋଇଥିବାରୁ ପୋଲିସ ସମସ୍ତ ଦିଗରୁ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି।