ନବୀନଙ୍କ ନୂଆ ଟିମ୍‌ : ଆଜି ଶପଥ ନେବେ ୧୨ କ୍ୟାବିନେଟ, ୮ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର : ନିଜ ପଞ୍ଚମ ପାଳିର ୩ୟ ବର୍ଷ ପୂରଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର କରିବାକୁ ଯାଉଛନ୍ତି। ଏହି ମନ୍ତ୍ରିମଣ୍ଡଳ ପୂର୍ବର ସବୁ ମନ୍ତ୍ରିମଣ୍ଡଳଠାରୁ ଭିନ୍ନ ହେବ ଏବଂ ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ ନିମନ୍ତେ ଦଳର ଆଭିମୁଖ୍ୟ ଏଥିରେ ପ୍ରତିଫଳିତ ହେବ। ଏଥିନିମନ୍ତେ ରାଜ୍ୟ ରାଜନୀତି ଇତିହାସରେ ପ୍ରଥମଥର ଭାବେ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ୨୦ଜଣ ମନ୍ତ୍ରୀ ଏକସଙ୍ଗରେ ନିଜର ଇସ୍ତଫା ପ୍ରଦାନ କରିଛନ୍ତି। ସେହିପରି […]

ଭୁବନେଶ୍ୱର : ନିଜ ପଞ୍ଚମ ପାଳିର ୩ୟ ବର୍ଷ ପୂରଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର କରିବାକୁ ଯାଉଛନ୍ତି। ଏହି ମନ୍ତ୍ରିମଣ୍ଡଳ ପୂର୍ବର ସବୁ ମନ୍ତ୍ରିମଣ୍ଡଳଠାରୁ ଭିନ୍ନ ହେବ ଏବଂ ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନ ନିମନ୍ତେ ଦଳର ଆଭିମୁଖ୍ୟ ଏଥିରେ ପ୍ରତିଫଳିତ ହେବ। ଏଥିନିମନ୍ତେ ରାଜ୍ୟ ରାଜନୀତି ଇତିହାସରେ ପ୍ରଥମଥର ଭାବେ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ୨୦ଜଣ ମନ୍ତ୍ରୀ ଏକସଙ୍ଗରେ ନିଜର ଇସ୍ତଫା ପ୍ରଦାନ କରିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ଙ୍କୁ ଶନିବାର ରାତିରେ ନୂଆ ମନ୍ତ୍ରିମଣ୍ଡଳର ତାଲିକା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନୂଆ ମନ୍ତ୍ରିମଣ୍ଡଳ ତାଲିକାରେ ନବ କିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ରଞ୍ଜନ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ରୋହିତ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ପ୍ରମିଳା ମଲ୍ଲିକ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ରୀତା ସାହୁ, ଉଷା ଦେବୀ, ପ୍ରଫୁଲ୍ଲ୍‍ ମଲ୍ଲିକ, ନିରଞ୍ଜନ ପୂଜାରୀ, ପ୍ରୀତିରଞ୍ଜନ ଘଡ଼ାଇ ଓ ପ୍ରଦୀପ ଅମାତଙ୍କ ନାମ ରହିଛି। ସେହିପରି ବାଚସ୍ପତି ଭାବେ ପୂର୍ବତନ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ପ୍ରଶାନ୍ତ ମୁଦୁଲି ଏବଂ ସରକାରୀ ଦଳ ଉପମୁଖ୍ୟ ସଚେତକ ଭାବେ ସରୋଜ ମେହେରଙ୍କ ନାମ ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ନୂଆ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ଆଜି ଲୋକସେବା ଭବନରେ ପୂର୍ବାହ୍ନ ୧୧ଟା ୪୫ ମିନିଟରେ ଅନୁଷ୍ଠିତ ହେବ।

ନିଜ ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଧର୍ମାନୁଷ୍ଠାନ, ପର୍ଯ୍ୟଟନ କ୍ଷେତ୍ରର ରୂପାନ୍ତରଣ ସହ ବିଦ୍ୟାଳୟ ରୂପାନ୍ତରଣ, କ୍ରୀଡ଼ା ଭିତ୍ତିଭୂମିର ସଶକ୍ତିକରଣ, କୃଷି ଓ ଜଳସେଚନ ପରି ବିଭିନ୍ନ କ୍ଷେତ୍ରକୁ ସର୍ବାଧିକ ଫୋକସ୍‍ କରୁଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ବହୁବିଧ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିଜ ଟିମ୍‍କୁ ଅଧିକ ସଶକ୍ତ କରିବାକୁ ଚାହୁଁଥିôଲେ। ଏହାକୁ ଦୃଷ୍ଟିରେ ରଖି ନୂଆ ମନ୍ତ୍ରିମଣ୍ଡଳର ସ୍ୱରୂପ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ମହିଳା, ଯୁବ ଏବଂ ବରିଷ୍ଠ ସମସ୍ତ ବର୍ଗକୁ ସମତୁଲ ପ୍ରାଧାନ୍ୟ ଦିଆଯାଇଛି। ବିଶେଷକରି ମନ୍ତ୍ରିପଦ ପାଇଁ ଯୋଗ୍ୟତା, ଦକ୍ଷତା ଏବଂ ଦଳୀୟ ଆନୁଗତ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ଏହି ସମ୍ଭାବ୍ୟ ତାଲିକାରୁ ସ୍ପଷ୍ଟ ହୋଇଛି।

ଶନିବାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ନିଜ ନିଜର ଇସ୍ତଫା ପ୍ରଦାନ କରିଥିଲେ। ଏହାସହ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ଉପମୁଖ୍ୟ ସଚେତକ ରୋହିତ୍‍ ପୂଜାରୀ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ନେଇ ରାଜନୈତିକ ଅଳିନ୍ଦରେ ଚର୍ଚ୍ଚା ଆଲୋଚନା ଜୋର୍‍ ଧରିଥିବା ବେଳେ ଆଶାୟୀଙ୍କ ମଧ୍ୟରେ ହୃଦକମ୍ପନ ବଢ଼଼ିଥିଲା। ପୁରୀ ଗସ୍ତରେ ଥିବା ରାଜ୍ୟପାଳ ଗଣେଶୀ ଲାଲ୍‍ ରାତିରେ ରାଜଭବନକୁ ଫେରିବା ପରେ ନୂଆ ମନ୍ତ୍ରିମଣ୍ଡଳ ତାଲିକା ପ୍ରଦାନ କରାଯାଇଥିଲା। ଅନ୍ୟପଟରେ ତାଲିକାରେ ସ୍ଥାନ ପାଇଥିବା ବିଧାୟକମାନଙ୍କୁ ରବିବାର ଭୁବନେଶ୍ୱରରେ ଶପଥଗ୍ରହଣ ପାଇଁ ଉପସ୍ଥିତ ହେବାକୁ ଫୋନ୍‍ କଲ୍‍ ଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରୁ ଡ. ଅରୁଣ କୁମାର ସାହୁ, ପ୍ରତାପ ଜେନା, ପଦ୍ମନାଭ ବେହେରା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂ, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରେମାନନ୍ଦ ନାୟକ, ପଦ୍ମିନୀ ଦିଆନ୍‍, ଜଗନ୍ନାଥ ସାରକା ଓ ତୁଷାରକାନ୍ତି ବେହେରାଙ୍କୁ ବିଶ୍ରାମ ଦିଆଯାଇଥିବା କୁହାଯାଉଛି। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେବା ପରେ ତାଙ୍କୁ କୌଣସି ନୂଆ ଦାୟିତ୍ୱ ଦିଆଯାଇ ନ ଥିବାବେଳେ ମୁଖ୍ୟ ସଚେତକ ଦାୟିତ୍ୱରେ ଥିବା ପ୍ରମିଳା ମଲ୍ଲିକ ପୁନଶ୍ଚ ମନ୍ତ୍ରିମଣ୍ଡଳକୁ ଫେରିବା ଚୂଡ଼ାନ୍ତ ମନେ ହେଉଛି। ନୂଆ କ୍ୟାବିନେଟରେ ଅଭିଜ୍ଞ ପ୍ରଦୀପ ଅମାତ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ଉଷା ଦେବୀଙ୍କ ସମେତ ରୋହିତ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ରୀତା ସାହୁ, ପ୍ରୀତିରଞ୍ଜନ ଘଡ଼ାଇ ସ୍ଥାନ ପାଇବେ ବୋଲି ସୂଚନା ମିଳିଛି। ମନ୍ତ୍ରିମଣ୍ଡଳରେ ୪ ଜଣ ମହିଳାଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନିଜର ମହିଳା ସଶକ୍ତିକରଣର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

About The Author: The Sakala