ଭୁବନେଶ୍ୱର: ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାରଙ୍କ ସଫଳତାକୁ ବିଧାନସଭାରେ ପରୋକ୍ଷ ସ୍ୱୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ଓଡ଼ିଶାର ୬୨ ଲକ୍ଷ ୬୦ ହଜାର ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଥିବା ତଥ୍ୟ ସେ ବିଧାନସଭାରେ ରଖିଛନ୍ତି। ଏହି ସମୟ ଅବଧି ନବୀନ ପଟ୍ଟନାୟକଙ୍କ ଶାସନକାଳର ଅଂଶବିଶେଷ ହୋଇଥିବାରୁ ଦାରିଦ୍ର୍ୟ ହ୍ରାସର ଏହି ସଫଳତା ପୂର୍ବ ସରକାରଙ୍କ ନୀତି ଓ ଜନକଲ୍ୟାଣକାରୀ ଯୋଜନାର ଫଳ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ବିଧାୟକ ଚକ୍ରମଣି କହଁରଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ନୀତି ଆୟୋଗଙ୍କ ଦ୍ୱାରା ଜୁଲାଇ ୨୦୨୩ରେ ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ, ୨୦୧୫-୧୬ରେ ଓଡ଼ିଶାରେ ରାଜ୍ୟର ଦାରିଦ୍ର୍ୟ ହାର ୨୯.୩୪ ପ୍ରତିଶତ ରହିଥିଲା, ମାତ୍ର ୨୦୧୯-୨୧ରେ ଏହା ୧୫.୬୮ ପ୍ରତିଶତକୁ ଖସିଆସିଥିଲା। ଅର୍ଥାତ୍ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଦାରିଦ୍ୟ ହାର ପ୍ରାୟ ଅଧା ହ୍ରାସ ପାଇଥିଲା। ଏହି ଅବଧିରେ ୬୨.୬୦ ଲକ୍ଷ ଲୋକ ଦାରିଦ୍ର୍ୟ କବଳରୁ ବାହାରିବା ରାଜ୍ୟର ସାମାଜିକ-ଆର୍ଥିକ ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ଉପସ୍ଥାପନ କରିଛି।
ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ଦାରିଦ୍ର୍ୟ ଦୂରୀକରଣରେ ସହାୟକ ହୋଇଛି। ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୧୯ଟି ପ୍ରମୁଖ ଯୋଜନାକୁ ଶ୍ରେୟ ଦେଇଛନ୍ତି। ଏହି ତାଲିକାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନା, କାଳିଆ, ବସୁଧା, ନିର୍ମାଣ ଶ୍ରମିକଙ୍କ ପାଇଁ ପକ୍କାଘର ଯୋଜନା ଓ ‘ଆମ ଗାଁ ଆମ ବିକାଶ’ ଭଳି କାର୍ଯ୍ୟକ୍ରମ ରହିଛି। ଏଥିରୁ ଅନେକ ଯୋଜନା ପୂର୍ବ ବିଜେଡି ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନର ସରକାର ମଧ୍ୟ ସେ ଗୁଡ଼ିକୁ ନାମ ପରିବର୍ତ୍ତନ କିମ୍ବା ନୂଆ ରୂପ ଦେଇ ଜାରି ରଖିଛନ୍ତି।
ଦାରିଦ୍ର୍ୟ ଦୂରୀକରଣ କେବଳ ଆର୍ଥିକ ସହାୟତା ବା ପେନ୍ସନ୍ ବଣ୍ଟନରେ ସୀମିତ ନୁହେଁ। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ, ଗ୍ରାମୀଣ ଭିତ୍ତିଭୂମି ଓ ଜୀବିକା ସୃଷ୍ଟି ଭଳି ଅନେକ କ୍ଷେତ୍ରରେ ସମନ୍ୱିତ ଉଦ୍ୟମ ଏଥିରେ ଭୂମିକା ନିର୍ବାହ କରିଥାଏ। ନବୀନ ସରକାରଙ୍କ ମିଶନ ଶକ୍ତି ଓ ୫-ଟି ଉପକ୍ରମକୁ ଏହି ପରିବର୍ତ୍ତନର ଅନ୍ୟତମ ଆଧାର ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
ବିଶେଷକରି ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବା, ସେମାନଙ୍କୁ ଋଣ, ତାଲିମ ଓ ଜୀବିକାର ସୁଯୋଗ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ରାଜ୍ୟର ପ୍ରାୟ ୭୦ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭର ଓ ଉପାର୍ଜନକ୍ଷମ କରିବାର ଲକ୍ଷ୍ୟ ନେଇ ଏହି ଅଭିଯାନ ଗ୍ରାମୀଣ ଅର୍ଥନୀତିରେ ମହିଳାଙ୍କ ଭାଗୀଦାରି ବଢ଼ାଇଥିଲା। ଅନ୍ୟପକ୍ଷରେ ୫-ଟି ଉପକ୍ରମ ପ୍ରଶାସନିକ ସଂସ୍କାର,ସ୍ୱଚ୍ଛତା ଓ ଯୋଜନାର କାର୍ଯ୍ୟକାରିତାକୁ ଗତି ଦେବାରେ ସହାୟକ ହୋଇଥିବା ମତ ପ୍ରକାଶ ପାଇଛି।
ତେବେ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବନଧାରଣର ମାନ ଭଳି ଏକାଧିକ ମାପଦଣ୍ଡକୁ ବିଚାରକୁ ନିଆଯାଏ। ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ଓଡ଼ିଶାରେ ଦାରିଦ୍ର୍ୟ ହାରର ଉଲ୍ଲେଖନୀୟ ହ୍ରାସ ଏକ ବଡ଼ ସାମାଜିକ ପରିବର୍ତ୍ତନର ସଙ୍କେତ। ବର୍ତ୍ତମାନର ସରକାର ବିଧାନସଭାରେ ରଖିଥିବା ଏହି ତଥ୍ୟ ନବୀନ ସରକାରଙ୍କ ସମୟରେ ହୋଇଥିବା ଦାରିଦ୍ର୍ୟ ଦୂରକରଣ ନିମନ୍ତେ ଉଦ୍ୟମ ଓ ସଫଳତାକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।