ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଆଜି ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ଘଟଣାରେ ଲୋକଙ୍କ ପ୍ରାଣହାନି ହୋଇଥିବା ବିଷୟରେ ଜାଣି ସେ ଦୁଃଖିତ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି । ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ, ଭୋର ସମୟରୁ ମହୁଲ ଫଳ ପେଶାଇବା ପାଇଁ ମୁକ୍ତାପଶି ଯାଉଥିବା ବେଳେ କାମାକ୍ଷାନଗର ଏନଏଚ ୫୩ ପଥରଖମ୍ବ ଛକ ନିକଟରେ ଏକ ଯାତ୍ରୀବାହି ଅଟୋକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ମାନେ କାମାକ୍ଷାନଗର ଥାନା ବାଉଁଶପାଳ ପଂଚାୟତ ଅନ୍ତର୍ଗତ ବାଙ୍ଗୁରା ଗାଁର । ମୃତକ ମାନେ ହେଲେ ଗାଁର ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ ,ଆଦିକନ୍ଧ ସାମଲ ,ଅଂକୁର ସାମଲ ଓ ପୁଅ ଦିବ୍ୟରଞ୍ଜନ ସାମଲ । ୫ ଜଣ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ଶିଶୁ ରହିଛନ୍ତି ।