ଭୁବନେଶ୍ବର: ଆରମ୍ଭ ହୋଇଛି ନୂତନ ଶିକ୍ଷା ବର୍ଷ । ଜାତୀୟ ଶିକ୍ଷା ନୀତି ୨୦୨୦ର ମହତ୍ତ୍ବାକାଂକ୍ଷୀ ଆଭିମୁଖ୍ୟକୁ ଆଗକୁ ନେଇ ରାଜ୍ୟର ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବ ପାଳନ କରାଯାଉଛି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାଥମିକ ଶିକ୍ଷାର ଗୁରୁତ୍ବ ଓ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯାଉଛି । ଚଳିତ ବର୍ଷ ପିଲାଙ୍କର ପ୍ରବେଶ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରସ୍ଥିତ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।
ଏହି ଅବସରରେ କୁନି କୁନି ପିଲାଙ୍କ ସହ ଭାବ ବିନିମୟ ପରେ ଖଡ଼ି ଛୁଆଁଇଥିଲେ ସିଏମ୍ । କୋମଳମତି ଶିଶୁଙ୍କ ଶିକ୍ଷା କ୍ଷେତ୍ରରେ ନୂଆ ପରିକଳ୍ପନା ଆଣିବା ପାଇଁ ଏଭଲି ଏକ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବ ବର୍ଷ ମଧ୍ୟ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଚଳିତ ବର୍ଷ ପିଲାମାନଙ୍କ ସହ ଅଭିଭାବକ ମାନେ ମଧ୍ୟ ସାମିଲ ହେବେ । ଏହା ସହ ଶିକ୍ଷା ସଚେତନତା ରଥ ମଧ୍ୟ ଜିଲ୍ଲାରୁ ଜିଲ୍ଲା ଗଡିବ।