ଭୁବନେଶ୍ୱର : ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ୱାଇ)କୁ ନେଇ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ରାସନ କାର୍ଡରେ ନାଁ ନଥିଲେ ବି ୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ବାସ୍ଥ୍ୟ ସେବା ମିଳିପାରିବ। ରାସନ କାର୍ଡରେ ବାପା ଓ ମାଆଙ୍କ ନାମ ରହିଥିଲେ ତାଙ୍କ ଛୋଟ ପିଲାଙ୍କୁ ମାଗଣା ଚିକିତ୍ସା ମିଳିପାରିବ। ଯେଉଁମାନଙ୍କ ନାଁ ଏନଏଫଏସଏ ବା ଏଫଏସଏସ ଡାଟା ବେସରେ ମଧ୍ୟ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସୁରୁଖୁରରେ ହୋଇପାରିବ । ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ ଅଭିଭାବକ । ଏନେଇ ବିଏସକେଓ୍ବାଇ ସହ ଜଡ଼ିତ ହୋଇଥିବା ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରାଇଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।
ଗତ କିଛି ଦିନ ହେଲା ଏଭଳି ସମସ୍ୟା ଦେଖାଦେଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା । ପିଲାଙ୍କ ନାମ ରାସନ କାର୍ଡରେ ପଞ୍ଜିକୃତ ହୋଇନଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ମିଳିପାରୁନଥିଲା । ଯାହାକୁ ନେଇ ଆଜି ସ୍ବାସ୍ଥ୍ୟ ବିଭାଗ କହିଛନ୍ତି କି ଯଦି ଖାଦ୍ୟ ସୁରକ୍ଷା ଯୋଜନାରେ ଅଭିବାକଙ୍କ ନାମ ରହିଛି, ତେବେ ତାଙ୍କ ଛୋଟ ପିଲାଙ୍କୁ ବିଏସ୍କେୱାଇ ଯୋଜନାରୁ ବଞ୍ଚିତ କରାଯିବ ନାହିଁ । କୌଣସି କାରଣରୁ ଯଦି ୫ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କ ନାମ ଜାତୀୟ ଖାଦ୍ୟ ସୁରକ୍ଷା (ଏନ୍ଏଫ୍ଏସ୍ଏ) ଅବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍)ରେ ଅନ୍ତର୍ଭୁକ୍ତ ହୋଇ ନାହିଁ ତେବେ ସେମାନଙ୍କୁ ବିଏସ୍କେୱାଇରେ ମାଗଣା ସ୍ୱାସ୍ଥ୍ୟ ସେବା ମିଳିପାରିବ ।
ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସବୁ ବିଏସ୍କେୱାଇ ତାଲିକାଭୁକ୍ତ ଡାକ୍ତରଖାନାକୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଅନେକ ରାସନକାର୍ଡ ଧାରୀ ବ୍ୟକ୍ତିଙ୍କର ନାମ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିଲେ ସୁଦ୍ଧା ସେମାନଙ୍କ ପିଲାମାନଙ୍କ ନାମ ସାମିଲ ହୋଇପାରି ନାହିଁ । ଏନ୍ଏଫ୍ଏସ୍ଏ/ଏସ୍ଏଫ୍ଏସ୍ଏସ୍ ଡାଟାବେସ୍ରେ ନାମ ଯୋଡ଼ିବା ପାଇଁ ଉର୍ଦ୍ଧିଷ୍ଟ ଅନ୍ଲାଇନ୍ ଫର୍ମରେ ଖାଲି ସ୍ଥାନର ଅଭାବ ଯୋଗୁଁ ଅନେକ ହିତାଧିକାରୀଙ୍କ ପିଲାମାନଙ୍କ ନାମ ସାମିଲ କରାଯାଇ ପାରୁନାହିଁ । ଫଳରେ ସେମାନଙ୍କୁ ବିଏସ୍କେୱାଇ ତାଲିକାଭୁକ୍ତ ଡାକ୍ତରଖାନା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ସମ୍ଭବ ହେଉ ନାହିଁ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ଆବଶ୍ୟକ କାଗଜପତ୍ର ଦେଖାଇଲେ ସେମାନଙ୍କର ୫ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କୁ ବିଏସ୍କେୱାଇରେ ସ୍ୱାସ୍ଥ୍ୟ ସେବା ମିଳିପାରିବ । ସେହି ପିଲା ସମ୍ପୃକ୍ତ ହିତାଧିକାରୀଙ୍କ ସନ୍ତାନ ବୋଲି ପ୍ରମାଣ ଦେବାକୁ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ ସମ୍ପ୍ରତି ୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ବିଏସ୍କେୱାଇରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନଙ୍କ ଅଭିଭାବକଙ୍କ ଲିଖିତ ସତ୍ୟପାଠ ଆଧାରରେ ୫ ବର୍ଷରୁ କମ୍ ବୟସର ସନ୍ତାନଙ୍କୁ ବିଏସ୍କେୱାଇ ତାଲିକାଭୁକ୍ତ ଡାକ୍ତରଖାନାରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି ।