ମୁଖ୍ଯମନ୍ତ୍ରୀଙ୍କ ବଡ଼ ଘୋଷଣା: ଖବରକାଗଜ ବିତରକଙ୍କୁ ମିଳିବ ସାମାଜିକ ସୁରକ୍ଷା

ଭୁବନେଶ୍ବର: ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍‌ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ । ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ତାଙ୍କର ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମ୍ବାଦପତ୍ର ହକର୍‌ ମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ଓଡିଶା ଅଣସଂଗଠିତ ଶ୍ରମିକ […]

ଭୁବନେଶ୍ବର: ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍‌ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ । ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ତାଙ୍କର ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମ୍ବାଦପତ୍ର ହକର୍‌ ମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି।

ଏହି ଯୋଜନା ଅନୁଯାୟୀ, ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଥିବା ସମ୍ବାଦପତ୍ର ହକର୍‌ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। ଏହି ଯୋଜନା ଅନୁଯାୟୀ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ପ୍ରାକୃତିକ ମୃତ୍ୟୁ କ୍ଷେତ୍ରରେ ୧ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ। ସେହିପରି ଦୁର୍ଘଟଣା ଯୋଗୁ ସଂପୂର୍ଣ୍ଣ ଅକ୍ଷମ ହୋଇଥିବା ହକର୍‌ ମାନଙ୍କୁ ଦେଢ ଲକ୍ଷ ଟଙ୍କା ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ଉଭୟ ଅଙ୍ଗ ହରାଇଥିବା (Loss of both limbs) ବ୍ୟକ୍ତିଙ୍କୁ ୮୦ ହଜାର ଟଙ୍କା ଏବଂ ଗୋଟିଏ ଅଙ୍ଗ ହରାଇଥିବା (Loss of one limb) ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କା ସହାୟତା ଦିଆଯିବ।

କୋଭିଡ ଯୋଗୁ ସେମାନେ ସମ୍ମୁଖୀନ ହୋଇଥିବା ଆର୍ଥିକ ଦୁଃସ୍ଥିତିକୁ ଦୃଷ୍ଟିରେ ରଖି ସବୁ ପଞ୍ଜୀକୃତ ଖବର କାଗଜ ହକର୍‌ ମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର ସହାୟତା ଦେବା ପାଇଁ ନିଷ୍ପତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ଯୋଗାଇ ଦିଆଯିବ।

କାମ କରିବା ପାଇଁ ବହୁତ ସମୟରେ ହକର୍‌ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ସେମାନଙ୍କ ପାଇଁ ଜିଲ୍ଲାସ୍ତରରେ ଉପଯୁକ୍ତ ୱାର୍କସେଡ୍‌ ନିର୍ମାଣ କରି ଯୋଗାଇଦେବାକୁ ନିଷ୍ପତ୍ତି କରାଯାଇଛି । ଏହାସହିତ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ହକର୍‌ ମାନଙ୍କର ଏକ ଡିଜିଟାଲ ଡାଟା ବେସ୍‌ ପରିଚାଳନା କରାଯାଇ ସମସ୍ତ ହକର୍‌ ମାନଙ୍କୁ ଜିଲ୍ଲା ସ୍ତରରେ ଯାଞ୍ଚ କରାଯାଇ ପରିଚୟ ପତ୍ର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

About The Author: The Sakala