ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନର ନୂଆ ଅଧ୍ୟାୟ। ୧୪ଟି ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ ଶିଳ୍ପର ଉଦଘାଟନ କରିଛନ୍ତି। ସେହିପରି ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ଟି ଶିଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିରେ ୩ ହଜାର ୭୭୩ ନିଯୁକ୍ତି ସୁଯୋଗ ସୃଷ୍ଟିହେବ।
ଏହି ପ୍ରକଳ୍ପ ମଧ୍ୟରେ ନବୀକରଣ ଯୋଗ୍ୟ ଶକ୍ତି, ଧାତୁ, ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ, ସାର ଓ ପ୍ଲାଷ୍ଟିକ ଆଦି ଶିଳ୍ପ ଅନ୍ତର୍ଭୁକ୍ତ । ଏହି କାର୍ୟ୍ୟକୁ ଆଦିତ୍ୟ ବିର୍ଲା ରିନ୍ୟୁଏବଲ ଲିମିଟେଡ, ଇଫକୋ, ସୁପ୍ରିମ ଇଣ୍ଡଷ୍ଟ୍ରିଜ ଓ ବ୍ରିଟାନିଆ ଭଳି ଅଗ୍ରଣୀ କମ୍ପାନୀ ସାମିଲ ଅଛନ୍ତି । ୧୫୩୭.୦୭ କୋଟି ବିନିଯୋଗରେ ରାଜ୍ୟର ଅନ୍ୟୁନ ୩୭୭୩ ଜଣଙ୍କୁ କର୍ମନିଯୁକ୍ତି ମିଳିବ । ଏହି ପ୍ରକଳ୍ପ ମେକ୍ ଇନ୍ ଓଡ଼ିଶାର ସଫଳତାରେ ଆଉ ଏକ ଫର୍ଦ୍ଦ ହୋଇ ଯୋଡି ହେବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଓଡିଶା ଦ୍ରୁତ ଗତିରେ ପୂର୍ବ ଭାରତର ଉତ୍ପାଦନ ହବ୍ ରୂପରେ ଅଭ୍ୟୁଦୟ ହୋଇଛି । ମୋ ସରକାରର ସ୍ଥିର ନୀତି ଏବଂ ନିୟାମକ ପରିବେଶ ରାଜ୍ୟରେ ଶିଳ୍ପସଂସ୍ଥା ଗୁଡିକଙ୍କ ଅଭିବୃଦ୍ଧିରେ ବେଶ ସହାୟକ ହେଉଛି । ବ୍ୟବସାୟିକ ସଂସ୍କାରର ସହଜତା ଓ ବିଭିନ୍ନ ବିଭାଗ ଦ୍ଵାରା ଦିଆ ଯାଉଥିବା ସୁବିଧା ସୁଯୋଗ ରାଜ୍ୟରେ ଶିଳ୍ପ ସଂସ୍ଥା ମାନଙ୍କ ଅଭିବୃଦ୍ଧିର ପଥ ପରିଷ୍କାର କରୁଛି ।ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ତା ପଛକୁ ବଲାଙ୍ଗୀର, କଟକ, ସୁନ୍ଦରଗଡ଼, ଖୋର୍ଦ୍ଧା ଓ ଝାରସୁଗୁଡା ଯଥାକ୍ରମେ ୩୫୨.୫୦, ୨୭୧.୬୪, ୨୬୫.୭୨, ୧୮୨.୭୮ ଓ ୬୪.୪୩ କୋଟି ଟଙ୍କାର ନିବେଶ ପ୍ରାପ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା (୫ଟି) ସଚିବ କାର୍ୟ୍ୟକ୍ରମକୁ ପରିଚାଳନା କରିଛନ୍ତି । ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଡ଼କୋ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡ଼. କ୍ରିଶନ କୁମାର, ଏମଏସଏମଇ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଓ ଇପିକଲ୍ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ବିଏସ ପୁନିଆ ଉପସ୍ଥିତ ଥିଲେ । ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ବରୁଣ ବେରୀ, ବେଦାନ୍ତର କାର୍ୟ୍ୟନିର୍ବାହୀ ଉପାଧ୍ୟକ୍ଷ ନବୀନ ଅଗ୍ରୱାଲ, ୱାଇଲଡ଼ ଲୋଟସର ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି ଏବଂ ଆଦିତ୍ୟ ବିର୍ଲା ରିନ୍ୟୁଏବଲ ଲିମିଟେଡ଼ର ଅପରେସନ ଓ ଟେକ୍ନୋଲୋଜି ସଭାପତି ଅମିତାଭ ବର୍ମା ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।
୪ ବର୍ଷରେ ପ୍ରାୟ ୯୩ ହଜାର କୋଟି ପୁଞ୍ଜିନିବେଶ, ନିଯୁକ୍ତି ପାଇଛନ୍ତି ପ୍ରାୟ ୧ ଲକ୍ଷ ୨୦ ହଜାର- ନଭେମ୍ବର,୨୦୧୭ ରୁ ଆଜି ସୁଦ୍ଧା ରାଜ୍ୟରେ ୧୯୫ଟି ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନା ହେଇଛି । ସର୍ବମୋଟ ୯୨,୪୬୦.୮୪ କୋଟି ଟଙ୍କାର ପୁଞ୍ଜି ନିବେଶ ହେଇଛି । ଏହି ପ୍ରକଳ୍ପ ଯୋଗୁଁ ପାଖାପାଖି ୧,୧୮,୨୧୧ ଜଣ ନିଯୁକ୍ତି ପାଇ ପାରିଛନ୍ତି । ସରଳ ଅନୁମୋଦନ ପ୍ରକ୍ରିୟା ଓ ପ୍ରକଳ୍ପର ତୁରନ୍ତ କାର୍ୟ୍ୟକାରିତା ଭଳି ଅନନ୍ୟ ସୁବିଧା ପ୍ରଦାନର ବ୍ୟବସ୍ଥା ଯୋଗୁଁ ଓଡିଶା ଶିଳ୍ପ ବିକାଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବାରେ ଉଭା ହୋଇଛି ବୋଲି କୁହାଯାଇଛି ।ଶିଳ୍ପ ସଂସ୍ଥାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ରାଜ୍ୟ ଭିତ୍ତିକ ଶିଳ୍ପ ସଂସ୍ଥା ମାନଙ୍କ (ଉଝଜ) କର୍ପୋରେଟ ସାମାଜିକ ଦାୟିତ୍ୱ ଅନ୍ତର୍ଗତ କାର୍ୟ୍ୟ ଗୁଡିକର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଆମ ଶିଳ୍ପ ସଂସ୍ଥା ଗୁଡିକ କେବଳ ରାଜ୍ୟର ଆର୍ଥିକ ବିକାଶରେ ଭାଗିଦାର ନୁହଁନ୍ତି । ବରଂ ସାମାଜିକ ଦାୟିତ୍ୱ ତୁଲାଇବାରେ ମଧ୍ୟ ରାଜ୍ୟ ସରକାରଙ୍କ ସହିତ ସକ୍ରିୟ ସହଯୋଗ କରୁଛନ୍ତି । କରୋନାର ଦ୍ଵିତୀୟ ଲହରରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦେଶରେ ଅମ୍ଳଜାନର ଉତ୍କଟ ଅଭାବ ପରିଲକ୍ଷିତ ହୋଇଥିଲା । ସେତେବେଳେ ଓଡ଼ିଶା ସରକାରଙ୍କ ସକ୍ରିୟ ପ୍ରତିକ୍ରିୟାକୁ ସାର୍ଥକ କରିବା ପାଇଁ ରାଜ୍ୟର ଶିଳ୍ପ ସଂସ୍ଥା ଗୁଡିକ ଆଗେଇ ଆସିଥିଲେ । ଚିକିତ୍ସା ନିମନ୍ତେ ଉପଯୋଗୀ ଅମ୍ଳଜାନ, ଟ୍ୟାଙ୍କର, ସିଲିଣ୍ଡର ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସମଗ୍ର ଦେଶକୁ ଯୋଗାଇ ଅନେକଙ୍କ ଜୀବନ ରକ୍ଷା କରିଥିଲେ”।