ଭୁବନେଶ୍ବର: ବିକାଶ ହେଉ କି ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି, ସବୁ କ୍ଷେତ୍ରରେ ଓଡ଼ିଶା କେନ୍ଦ୍ରଠାରୁ ଆଗରେ। ନବୀନ ସରକାରଙ୍କ ଅମଳରେ ଓଡ଼ିଶା ଅଭିବୃଦ୍ଧି କ୍ଷେତ୍ରରେ ନୂତନ ଶିଖର ଛୁଇଁଛି। କାରଣ ପ୍ରତିବର୍ଷ ଓଡ଼ିଶାର ଜିଡିପି ଅଭିବୃଦ୍ଧି କେନ୍ଦ୍ରଠାରୁ ଅଧିକ ରହିଛି। ସେହିପରି ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି) ପ୍ରାୟ ୬୫% ଅଭିବୃଦ୍ଧି ହାସଲ କରିଛି, ଯାହା ଏହି ଅବଧିରେ ଭାରତର ଜିଡିପି ଅଭିବୃଦ୍ଧି ୬୬.୫୬% ସହ ତୁଳନୀୟ ବୋଲି ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କ ପକ୍ଷରୁ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ରାଜ୍ୟର ଆର୍ଥିକ ସ୍ଥିତିର ପ୍ରତିବେଦନ ସମ୍ପର୍କିତ ରିପୋର୍ଟରେ କୁହାଯାଇଛି। ସେହିପରି ନବୀନଙ୍କ ଶାସନରେ ଓଡ଼ିଶା ଏକ ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଛି। ବିଗତ ୧୦ ବର୍ଷର ରେକର୍ଡ ଦେଖିଲେ ରାଜ୍ୟର ରାଜସ୍ବ ସଂଗ୍ରହରେ ୪୬.୬୩% ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ମହାଲେଖାକାର ଅଡିଟ୍-୨ ଅତୁଲ ପ୍ରକାଶ ଏହି ସୂଚନା ଦେଇଛନ୍ତି।
ବିଗତ ୧୦ ବର୍ଷରେ ଓଡ଼ିଶାର ରାଜସ୍ବ ପ୍ରାପ୍ତି ୧୧.୫୨ ପ୍ରତିଶତ ସିଏଜିଆର୍ ସହିତ ଉପରମୁହାଁ ହୋଇଛି। ତେବେ ୨୦୨୦-୨୧ ଏବଂ ୨୦୨୧-୨୨ରେ ରାଜସ୍ବ ପ୍ରାପ୍ତିରେ ରାଜ୍ୟ ଏକ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଥିବା ଜଣାପଡିଛି। ଗତ ୧୦ ବର୍ଷ ମଧ୍ୟରେ ରାଜସ୍ବ ସଂଗ୍ରହରେ ୪୬.୬୩ ପ୍ରତିଶତ ଅଭିବୃଦ୍ଧି ସହ ୧,୦୪,୩୮୭ କୋଟିରୁ ୧,୫୩,୦୫୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତେଣୁ ବିଗତ ୧୦ ବର୍ଷ ମଧ୍ୟରେ ରାଜସ୍ବ ପ୍ରାପ୍ତିରେ ଏଭଳି ସ୍ଥର ଅଭିବୃଦ୍ଧି ଓଡ଼ିଶାକୁ ଏକ ରାଜସ୍ବ ବଳକା ରାଜ୍ୟରେ ପରିଣତ କରିବାରେ ସହାୟକ ହୋଇଛି। ଏହାବ୍ୟତୀତ ରାଜ୍ୟର ନିଜସ୍ବ ଟିକସ ରାଜସ୍ବ ମଧ୍ୟ ୧୦.୭୬% ସିଏଜିଆର୍ରେ ବୃଦ୍ଧି ପାଇଛି। ଏସ୍ଜିଏଟି ସଂଗ୍ରହରେ ଉନ୍ନତି, ରାଜ୍ୟ ଉତ୍ପାଦ ଶୁଳ୍କରୁ ଅଧିକ ସଂଗ୍ରହ ଏବଂ ଯାନବାହାନ ଉପରେ ଟିକସ ଯୋଗୁ ଏହି ଅଭିବୃଦ୍ଧି ହାସଲ ସମ୍ଭବପର ହୋଇଥିବା ରିପୋର୍ଟରେ କୁହାଯାଇଛି। ୨୦୨୨-୨୨ଠାରୁ ରାଜ୍ୟ ରାଜସ୍ବ ପ୍ରାପ୍ତିର ଅଭିବୃଦ୍ଧି ମୁଖ୍ୟତଃ ଅଣ ଟିକସ ରାଜସ୍ବ ଦ୍ବାରା ପରିଚାଳିତ। ଏହାର ମୁଖ୍ୟ କାରଣ ହେଉଛି, ରାଜ୍ୟ ସରକାର ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟନ୍ତ୍ରଣ ଆଇନ) ୨୦୧୫ ପରେ ଖଣି( ଲୁହାପଥର, ମାଙ୍ଗାନିଜ୍, ବକ୍ସାଇଟ୍ ଓ ଡୋଲାମାଇଟ୍ ଖଣି) ନିଲାମ କରିଥିଲେ, ଯାହା ନୂତନ ଓ ଅବଧି ସରିଥିବା ଖଣିର ନିଲାମ ଦ୍ବାରା ଖଣି ରାଜସ୍ବ ବଢ଼ିଥିଲା।
ଅପରପକ୍ଷେ ୨୦୧୫-୨୫ରେ ଓଡ଼ିଶାର ରାଜସ୍ବ ବ୍ୟୟ ୧୧.୮୬% ସିଏଜିଆର୍ ହାରରେ ବୃଦ୍ଧି ପାଇଛି। ୨୦୧୮-୧୯ ପରେ ରାଜ୍ୟରେ ଅଭିବୃଦ୍ଧି ଆଖିଦୃଶିଆ ବୃଦ୍ଧି ପାଇଛି। ତେବେ ଏହି ୧୦ ବର୍ଷ ମଧ୍ୟରେ ଓଡ଼ିଶା ଏହାର ରାଜସ୍ବ ବଳକା ବଜାୟ ରଖିବାରେ ସକ୍ଷମ ହୋଇଥିଲା। ତେବେ ବିଡ଼ମ୍ବନାର ବିଷୟ ହେଉଛି ୨୦୨୪-୨୫ରେ ରାଜ୍ୟର ସବ୍ସିଡି ୧୫%ରୁ ଅଧିକ ବୃଦ୍ଧି ପାଇଛି, ଯାହା ୨୦୨୪-୨୫ରେ ୯୧୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହାଫଳରେ ମୋହନ ସରକାରଙ୍କ ରାଜସ୍ବ ବ୍ୟୟ ଉପରେ ଚାପ ବଢ଼ିବ। ନବୀନ ସରକାରଙ୍କ ଅମଳରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଯେ, ରାଜ୍ୟରେ ବିକାଶମୂଳକ କାମ ଦ୍ରୁତତର ହେବା। ଏହି ସମୟରେ ରାଜ୍ୟ ସରକାର ବିଭିନ୍ନ ସାମାଜିକ ପ୍ରକଳ୍ପରେ ଅଧିକ ଅର୍ଥ ବ୍ୟୟ ବରାଦ କରିଥିଲେ। ସେଥିପାଇଁ ୨୦୧୫-୨୫ରେ ରାଜ୍ୟର ପୁଞ୍ଜି ବ୍ୟୟରେ ପ୍ରାୟ ୧୨.୪୭ ପ୍ରତିଶତ ସିଏଜିଆର୍ ହାରରେ ବୃଦ୍ଧି ପାଇଛି। ଯାହା ଫଳରେ ପୁଞ୍ଜି ବ୍ୟୟ ଏହି ୧୦ ବର୍ଷ ମଧ୍ୟରେ ୧୭,୦୯୦ କୋଟିରୁ ୪୫,୪୮୧ କୋଟି ଟଙ୍କାକୁ ବୃଦ୍ଧି ହୋଇଛି। ତେବେ ୨୦୨୦-୨୧ ପରଠାରୁ ପୁଞ୍ଜି ବ୍ୟୟରେ ଅଭିବୃଦ୍ଧ ମୁଖ୍ୟତଃ ଭାବେ ଅର୍ଥନୈତକି କାର୍ଯ୍ୟକଳାପ ଏବଂ ଦୀର୍ଘକାଳୀନ ବିକାଶ ଉପରେ ରାଜ୍ୟ ସରକାରଙ୍କ ଯଥେଷ୍ଟ ଧ୍ୟାନ କେନ୍ଦ୍ରୀତ କରିଥିବାକୁ ସୂଚାଉଛି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପ ମହାଲେଖାକାର ଭରତ ଚନ୍ଦ୍ର ବେହେରା, ଉପ ମହାଲେଖାକାର କେ. ମଧୁବାଲା, ସଞ୍ଜୟ କୁମାର,ପ୍ରଥମା ପ୍ରତୀକ୍ଷା ପ୍ରଧାନ,ଏ. ବାଳକ୍ରୀଷ୍ଣା, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ଶ୍ରୀମନ୍ତ କୁମାର ପଣ୍ଡା, ବିଚିତ୍ରାନନ୍ଦ ସାହୁ, ଭାସ୍କର ଚନ୍ଦ୍ର ରାଉଳ, ରଙ୍କ ନାଥ ମଲ୍ଲିକ, କ୍ଷୀରୋଧ କୁମାର ସୁବୁଦ୍ଧି ଏବଂ ଜଗତାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।