କୋରାପୁଟ: ଓଲଟିଲା ତୀର୍ଥଯାତ୍ରୀ ବସ୍ । ଦୁର୍ଘଟଣାରେ ୨ଜଣ ମୃତ୍ୟୁବରଣ କରିଥିବାବେଳେ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଗୁପ୍ତେଶ୍ୱର ଶୈବ ପୀଠନିକଟ ଡକ୍ରୀ ଘାଟିରେ ଘଟିଛି ଏପରି ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ସମସ୍ତ ଆହତଙ୍କୁ ବୈପାରୀଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । କଟକରୁ ଗୁପ୍ତେଶ୍ୱର ଯାଉଥିଲା ବସ । ଭାରସାମ୍ୟ ହରାଇ ଘାଟିରୁ ଓଲଟି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୁଚନା ।
ସୂଚନା ଅନୁସାରେ, କଟକ ନିଆଳି ଅଞ୍ଚଳର କିଛି ପରିବାର ଏକ ବସ୍ ଭଡ଼ା କରି ଗୁପ୍ତେଶ୍ୱର ଶୈବ ପୀଠକୁ ଯାତ୍ରା କରୁଥିଲେ । ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ଗତକାଲି କଳାହାଣ୍ଡିରେ ମା’ ମାଣିକେଶ୍ୱରୀଙ୍କ ଦର୍ଶନ କରିବା ପରେ କୋରାପୁଟର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଯାଉଥିଲେ। ଆଜି ସକାଳେ ସେମାନେ ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ କରିଥା’ନ୍ତେ। ତେବେ ଭୋରରେ ବସ୍ଟି ଡକରି ଘାଟି ପାର ହେଉଥିବା ବେଳେ ସୁକୁ ନାଳ ନିକଟରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।