ଜଗତସିଂହପୁରରେ ସନ୍ଦିଗ୍ଧ 'ବାଂଲାଦେଶୀ'ଙ୍କ ଘର ଉପରେ ବୁଲିଲା ବୁଲ୍‌ଡୋଜର, ଗତକାଲି ପୁଲିସ କରିଥିଲା ଚଢ଼ଉ

ଜଗତସିଂହପୁର: ସନ୍ଦିଗ୍ଧ 'ବାଂଲାଦେଶୀ'ଙ୍କ ଘର ଭାଙ୍ଗିଲା ଜଗତସିଂହପୁର ପ୍ରଶାସନ । ସଦର ଥାନା ବେହେରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ 'ବାଂଲାଦେଶୀ'ଙ୍କ ଘର ଉପରେ ବୁଲ୍‌ଡୋଜର ଚଢ଼ାଇଲା ପ୍ରଶାସନ । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର । ମାମଲାକୁ ଗୁରୁତ୍ବର ସହ ନେବା ସହ ଏହି ବାଂଲାଦେଶୀମାନେ ଏଠାକୁ କେମିତି ଆସିଲେ, କଣ ଲିଙ୍କ୍ ଅଛି, କିଏ ଆଣି ରଖିଲା, ଏ ସବୁ ଦିଗରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ସୂଚନାଯୋଗ୍ୟ ଗତକାଲି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ବେହେରାମପୁର ବସ୍ତିରେ ପୁଲିସ ଚଢ଼ଉ କରିଥିବା ସହ ଏକାଧିକ ସନ୍ଦିଗ୍ଦ ବାଂଲାଦେଶୀଙ୍କୁ ଅଟକ ରଖିଥିଲା । ଏହି ବସ୍ତିରେ ଦୀର୍ଘଦିନ ଧରି ପ୍ରାୟ ୩୦ରୁ ଊର୍ଦ୍ଧ୍ବ ପରିବାର ରହୁଥିବାବେଳେ ପୁଲିସ ଚଢ଼ଉ ବେଳେ ଏମାନଙ୍କ ମୁଖ୍ୟ କୁହାଯାଉଥିବା ସିକନ୍ଦର ଆଲାମ ସହିତ ଅନ୍ୟ କେତେଜଣ ଫେରାର ହୋଇଛନ୍ତି। ଏହି ଚଢ଼ାଉ ସମୟରେ ଦେଶୀ ବନ୍ଧୁକ, ୫ରୁ ଅଧିକ ବଡ଼ କଟୁରି ଜବତ ହୋଇଥିଲା। ଏସ୍‌ଡିପିଓ ଆଜିଙ୍କ୍ୟା ମାନେଙ୍କ ସୂଚନା ମୁତାବକ, କିଛିଦିନ ଧରି ଏହି ବସ୍ତିର କାର୍ୟ୍ୟକଳାପ ଉପରେ ନଜର ରଖାଯାଇଥିଲା। ଉକ୍ତ ବସ୍ତିରେ ୩୦ରୁ ଉର୍ଦ୍ଧ୍ବ ସନ୍ଦିଗ୍ଧ ବାଂଲାଦେଶୀ ଭଡ଼ା ଘରେ ରହୁଥିବା ବେଳେ ବହୁ ଲୋକଙ୍କ ଆଧାର କାର୍ଡ ନଥିବା ଜଣାଯାଇଛି ।

About The Author: Madhusudan Das