ଭୁବନେଶ୍ୱର : ତ୍ରିକୋଣୀୟ ପ୍ରେମ ସାଜିଲା ବଇରୀ। ପ୍ରେମିକା କାହାର ହେବ ତାହାକୁ ନେଇ ଦୁଇ ପ୍ରେମିକ ମଧ୍ୟରେ ହୋଇଛି ଗଣ୍ଡଗୋଳ। ଯେଉଁଥି ପାଇଁ ଦୁଇ ପ୍ରେମିକ ହୋଇଛନ୍ତି ମୁହାଁମୁହିଁ। ପ୍ରେମିକାର ମୋବାଇଲ ଭାଙ୍ଗିବାକୁ କେନ୍ଦ୍ରକରି ହୋଇଛି ଛୁରାମାଡ଼। ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ। ପ୍ରେମିକାର ମୋବାଇଲ ସଜାଡ଼ିବାକୁ ୧୦ ହଜାର ଟଙ୍କାକୁ କେନ୍ଦ୍ରକରି ପ୍ରଥମ ପ୍ରେମିକ ଦ୍ୱିତୀୟ ପ୍ରେମିକକୁ ଛୁରାମାଡ଼ କରିଛି। ଏନେଇ ଦ୍ୱିତୀୟ ପ୍ରେମିକ ପୁରୀର ପ୍ରିୟରଞ୍ଜନ ନାୟକ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟରେ ଛୁରାମାଡ଼ କରିଥିବା ପ୍ରଥମ ପ୍ରେମିକ ଜଗତସିଂହପୁର ଜିଲ୍ଲାର ଗୌରୀ ଶଙ୍କର ଲେଙ୍କାକୁ ପୁଲିସ ଅଟକ ରଖିଛି। ଆଇନ୍ରୁ ଖସିବା ପାଇଁ ପ୍ରଥମ ପ୍ରେମିକ ଏକ ଅଭିନବ ଉପାୟ ଆପଣାଇଥିଲା।
ସେ ଛୁରାମାଡ଼ କରିବା ପରେ ନିଜ ହାତ ଏବଂ ଗୋଡ଼କୁ ତାରରେ ବାନ୍ଧି ଛୁରାରେ କାଟି ଦେଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ପ୍ରେମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏନେଇ ପୁଲିସ ଏକ ମାମଲା ରୁୁଜୁକରି ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ, ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ଶୈଳଶ୍ରୀ ବିହାର ଦୁର୍ଗାମଣ୍ଡପ ଭିଆଇଏନ୍-୨୭୫ରେ ରହୁଛନ୍ତି ଜଗତସିଂହପୁର ଜିଲ୍ଲାର ଗୌରୀ ଶଙ୍କର। ଅନ୍ୟ ପଟେ ନୀଳାଦ୍ରି ବିହାରରେ ରହୁଛନ୍ତି ପୁରୀର ପ୍ରିୟରଞ୍ଜନ। ଗୌରୀ ଶଙ୍କର ଜଣେ ଯୁବତୀଙ୍କୁ ଦୀର୍ଘଦିନ ହେବ ଭଲ ପାଉଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଯୁବତୀଙ୍କୁ ପ୍ରିୟରଞ୍ଜନ ଭଲ ପାଇ ବସିଥିଲେ। ହେଲେ ପ୍ରେମିକା ନିଜର ଫାଇଦା ପାଇଁ ଦୁହିଁଙ୍କ ସହ ସମ୍ପର୍କ ରଖିଥିଲେ। ଦ୍ୱିତୀୟ ପ୍ରେମିକ ପ୍ରିୟରଞ୍ଜନ ପ୍ରେମିକାଙ୍କୁ ଏକ ମୋବାଇଲ ଫୋନ ଉପହାର ଦେଇଥିଲେ।
ହେଲେ ପ୍ରଥମ ପ୍ରେମିକକୁ ତାହା ହଜମ ହୋଇ ନ ଥିଲା। କ’ଣ ପାଇଁ ତାହା ସହ କଥା ହେଉଛୁ କହି, ପ୍ରଥମ ପ୍ରେମିକ ପ୍ରେମିକା ଠାରୁ ମୋବାଇଲ୍ ଛଡାଇ ଆଣି ଭାଙ୍ଗି ଦେଇଥିଲେ। ଯାହାକୁ ନେଇ ଦୁଇ ପ୍ରେମିକଙ୍କ ମଧ୍ୟରେ ବଚସା ହୋଇଥିଲା। ମୋବାଇଲ୍ ସଜାଡ଼ିବା ବାବଦକୁ ୧୦ ହଜାର ଟଙ୍କା ଦେବାକୁ ଦ୍ୱିତୀୟ ପ୍ରେମିକ କହିଥିଲା। ଏଥିଲାଗି ଅପରାହ୍ଣ ପ୍ରାୟ ୫ଟା ସମୟରେ ସେ ପ୍ରଥମ ପ୍ରେମିକ ରହୁଥିବା ଘରକୁ ଯାଇଥିଲେ। ସେଠାରେ ପ୍ରଥମ ପ୍ରେମିକ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରଥମ ପ୍ରେମିକ ଦ୍ୱିତୀୟ ପ୍ରେମିକକୁ ଛୁରାମାଡ଼ କରିଥିଲା।