ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ସ୍ମାରକପତ୍ର: ସ୍ୱଚ୍ଛ, ତ୍ରୁଟିଶୂନ୍ୟ ହେଉ ଏସ୍‌ଆଇଆର୍‌ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍‌ ରିଭିଜନ (ଏସଆଇଆର) ବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସହଜ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ବିଜେଡି ପକ୍ଷରୁ ସୋମବାର ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ (ସିଇଓ) ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏସଆଇଆର ପ୍ରକ୍ରିୟା ସମୟରେ ସ୍ୱଚ୍ଛତା, ସ୍ୱେଚ୍ଛାସେବୀ ସମ୍ପୃକ୍ତି ଏବଂ ସୁବିଧା ବ୍ୟବସ୍ଥା, ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କର ଉପସ୍ଥିତି ଏବଂ ପ୍ରବାସୀ ଶ୍ରମିକଙ୍କ ଅଧିକାର ସୁରକ୍ଷା ନେଇ ଦଳ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପ୍ରଦାନ ସହ ଏନେଇ କେତେକ ଚିନ୍ତା ମଧ୍ୟ ପ୍ରକଟ କରାଯାଇଛି।

ଦାବିପତ୍ରରେ ବିଜେଡି ପକ୍ଷରୁ କୁହାଯାଇଛି ଯେ ଯେହେତୁ ପୂର୍ବବର୍ଷଗୁଡ଼ିକର ଭୋଟର୍‌ ତାଲିକା ବିଶେଷକରି ୨୦୦୨ ଏବଂ ୨୦୨୫ ଭୋଟର୍‌ ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସିଆଲ୍‌ ୱେବସାଇଟ୍‌ରେ ଉପଲବ୍ଧ ରହିଛି, ତେଣୁ ଏସଆଇଆର ବିଜ୍ଞପ୍ତି ପୂର୍ବରୁ ପ୍ରସ୍ତୁତ ମ୍ୟାପିଂ ଡାଟାକୁ ମଧ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ ବ୍ୟତୀତ ଅଫିସିଆଲ୍‌ ୱେବସାଇଟ୍‌ରେ ସାର୍ବଜନୀନ ଭାବେ ଉପଲବ୍ଧ କରାଯାଉ। ଏହା ସ୍ୱଚ୍ଛତା ଏବଂ ଏସଆଇଆର ପ୍ରକ୍ରିୟାର ସୁଗମ ପରିଚାଳନା ପାଇଁ ଉପଯୋଗୀ ହେବ। ପ୍ରାକ୍‌-ଏସଆଇଆର ମ୍ୟାପିଂ ସମୟରେ ପ୍ରାୟ ୯.୮୦ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ତଥ୍ୟ ସାର୍ବଜନୀନ ହେଲେ ଭୋଟର, ରାଜନୈତିକ ଦଳ ଏବଂ ବୁଥ୍‌ ସ୍ତରୀୟ ଏଜେଣ୍ଟମାନେ ତ୍ରୁଟି ସଂଶୋଧନ କରିପାରିବେ ଏବଂ କୌଣସି ଯୋଗ୍ୟ ଭୋଟର ବାଦ୍‌ ପଡ଼ିବେ ନାହିଁ। ନୂତନ ଭାବେ ସୃଷ୍ଟି ହୋଇଥିବା ବୁଥଗୁଡ଼ିକରେ ତୁରନ୍ତ ସ୍ଥାୟୀ ବିଏଲ୍‌ଓ ନିଯୁକ୍ତି ଦେବା ସହ ସେମାନଙ୍କୁ ସଠିକ୍‌ ତାଲିମ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ପ୍ରତ୍ୟେକ ବୁଥରେ ଦୈନିକ ଅନ୍ତତଃପକ୍ଷେ ଦୁଇଘଣ୍ଟା (ଅପରାହ୍ନ ୩ଟାରୁ ୫ଟା) ବିଏଲ୍‌ଓମାନେ ଉପସ୍ଥିତ ରହିବା ଜରୁରୀ। ଏହାସହ ସ୍ୱଚ୍ଛତା ରକ୍ଷା ପାଇଁ ବିଏଲ୍‌ଓ ଏବଂ ବିଏଲ୍‌ଏମାନଙ୍କର ନାମ ଓ ମୋବାଇଲ୍‌ ନମ୍ୱର ବୁଥର ନୋଟିସ୍‌ ବୋର୍ଡରେ ମାରିବାକୁ ବିଜେଡି ଦାବି କରିଛି। ସେହିପରି ବୁଥ୍‌ ସ୍ତରରେ ନିୟୋଜିତ ହେଉଥିବା ସ୍ୱେଚ୍ଛାସେବୀମାନଙ୍କ ଉତ୍ସ, ଅଧିକାର ଏବଂ ସେମାନଙ୍କ ଉପରେ କାହାର ନିୟନ୍ତ୍ରଣ ରହିଛି, ସେନେଇ ସ୍ପଷ୍ଟୀକରଣ ମଗାଯାଇଛି। ଏହି ସ୍ୱେଚ୍ଛାସେବୀମାନେ ଯେପରି କୌଣସି ରାଜନୈତିକ ଦଳ ସହ ଜଡ଼ିତ ନଥାଇ କେବଳ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ଚୟନ ହୁଅନ୍ତି, ତାହା ନିଶ୍ଚିତ କରିବାକୁ ଦଳ କହିଛି। ଏହାବ୍ୟତୀତ, ରାଜନୈତିକ ଦଳଗୁଡ଼ିକ ସହ ହେଉଥିବା ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟାଳୟ ବଦଳରେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ମୁଖ୍ୟାଳୟରେ କରିବାକୁ ପ୍ରସ୍ତାବ ଦିଆଯାଇଛି।

ଅପରପକ୍ଷେ, ରୋଜଗାର ପାଇଁ ବାହାରେ ରହୁଥିବା ପ୍ରବାସୀ ଶ୍ରମିକମାନେ ଯେପରି ଭୋଟ୍‌ ଅଧିକାରରୁ ବଞ୍ଚିତ ନହେବେ, ସେଥିପାଇଁ ଶ୍ରମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଉ। ଡିଜିଟାଲ୍‌ ବ୍ୟବସ୍ଥା ଜାଣି ନଥିବା ଲୋକଙ୍କ ପାଇଁ ଅଫଲାଇନ୍‌ ସହାୟତା ଶିବିର ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଜେଡି ସିଇଓଙ୍କୁ ଅନୁରୋଧ କରିଛି। ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟେକ ନାଗରିକଙ୍କ ଅଂଶଗ୍ରହଣ ଏବଂ ନିର୍ବାଚନ କମିଶନଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ପାଇଁ ଏହି ସବୁ ପଦକ୍ଷେପ ନେବା ଅତ୍ୟନ୍ତ ଆବଶ୍ୟକ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

 ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ପ୍ରତାପ ଜେନା, ନିରଞ୍ଜନ ପୂଜାରୀ, ସଞ୍ଜୟ କୁମାର ଦାସବର୍ମା, ଅଶୋକ ଚନ୍ଦ୍ର ପଣ୍ଡା, ଭୃଗୁ ବକ୍ସିପାତ୍ର, ମନ୍ମଥ ରାଉତରାୟ, ଡ. ପ୍ରିୟବ୍ରତ ମାଝୀ, ଡ. ଲେନିନ୍‌ ମହାନ୍ତି, ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

About The Author: Madhusudan Das