ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ସ୍ଥିତି ଅଧିକ ସଙ୍ଗୀନ ହେଉଛି। ଏପରି ସ୍ଥିତିରେ ଆସନ୍ତାମାସ ୧୩ ତାରିଖରେ ହେଉଥିବା ପିପିଲି ଉପନିର୍ବାଚନରେ କୈଣସି ନିର୍ବାଚନୀ ରାଲି କିମ୍ବା ପ୍ରଚାର କରିବନାହିଁ ବିଜୁ ଜନତା ଦଳ। କୋଭିଡ ଭୟବହତା ଦୃଷ୍ଟିରୁ ପ୍ରଚାର, ଶୋଭାଯାତ୍ରା ଏବଂ ସଭା ସମ୍ମିଳନୀକୁ ବାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ସମସ୍ତ ନେତା, କାର୍ଯ୍ୟକର୍ତ୍ତାଙ୍କୁ କୈଣସି ନିର୍ବାଚନୀ ରାଲି କିମ୍ବା ପ୍ରଚାର ନକରିବାକୁ ପରାମର୍ଶ ଦେଇଛନ୍ତି ଦଳ ମୁଖିଆ ।
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଲେଖିଛନ୍ତି , ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ମୁଁ ସର୍ବଦା ଓଡିଶାର ଲୋକଙ୍କୁ ମୋର ପରିବାର ସଦସ୍ୟ ଭାବରେ ବିବେଚନା କରେ । ଦେଶରେ କରୋନା ସଂକ୍ରମଣ ବୃଦ୍ଧି କରୁଛି ତେଣୁ ଏଭଳି ଅତ୍ୟନ୍ତ ଗମ୍ଭୀର ପରିସ୍ଥିତିରେ ପିପିଲି ଉପନିର୍ବାଚନ ପାଇଁ କୌଣସି ସାଧାରଣ ସମାବେଶ କିମ୍ବା ରାଲି ସଭା ନକରିବାକୁ ନିଷ୍ପତ୍ତି ନେଇଛି ବିଜେଡି।‘
ଲୋକଙ୍କ ସେବା କରିବା ପାଇଁ ଆମେ ନିର୍ବାଚନ ଲଢୁ । ସମଗ୍ର ଓଡିଶା ମୋ ପରିବାର । ତେଣୁ ପରିବାରର ସମସ୍ତ ସଦସ୍ୟ ସୁରକ୍ଷିତ ରହିବାର ଦାୟିତ୍ବ ମୋ ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜନସାଧାରଣଙ୍କ ମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ପ୍ରଚାର ଏବଂ ରାଲିକୁ ବିଜେଡି କରିବ ନାହିଁ। ଏକ ଦାୟିତ୍ୱପୂର୍ଣ୍ଣ ଦଳ ଭାବରେ ବିଜେଡି ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ପସନ୍ଦ କରିବ ନାହିଁ। ଲୋକଙ୍କ ସେବା କରିବା ପାଇଁ ଆମେ ନିର୍ବାଚନ ପ୍ରତିଯୋଗିତା କରୁ । ଯଦି ଏହି ଅଭିଯାନର ଜୀବନ ପ୍ରତି ବିପଦ ରହିଛି, ତେବେ ମୁଁ ପ୍ରଚାରର ଅବଧି ଏବଂ ପଦ୍ଧତିର ପୁନର୍ବିଚାର କରିବାକୁ ରାଜନୈତିକ ଦଳଗୁଡିକ ଏବଂ ଜାତୀୟ ନିର୍ବାଚନ କମିଶନଙ୍କୁ ନିବେଦନ କରିବି ବୋଲି ଟ୍ବିଟ୍ରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଓଡିଶାରେ ୪୪୪୫ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହ ଚାରି ଜଣଙ୍କ ପ୍ରାଣହାନୀ ଘଟିଛି। ଅନ୍ୟପଟେ ପିପିଲି ଉପ ନିର୍ବାଚନ ପାଇଁ ମେ ୧୩ରେ ମତଦାନ ହେବାକୁ ଯାଉଛି। କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ଆୟୋଗ ସାନି ମତଦାନ ଘୋଷଣା କରିଛନ୍ତି। ପ୍ରଥମେ ଭୋଟ୍ ଗ୍ରହଣ ଏପ୍ରିଲ ୧୭ରେ ହେବାର ଥିଲା। ଏହାର ତିନି ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୧୪ରେ ଅଜିତ୍ ମଙ୍ଗରାଜଙ୍କ କରୋନାରେ ପ୍ରାଣହାନୀ ଘଟିଥିଲା।