ଭୁବନେଶ୍ୱର: ବିଜେଡିର ଦଳୀୟ କାର୍ଯ୍ୟକ୍ରମ ସମୟରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି ଦଳର ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ କ୍ଷୋଭ ବ୍ୟକ୍ତ କରିବା ସହ ଓଡ଼ିଶାରେ କ’ଣ ଗୁଣ୍ଡାରାଜ ଚାଲିଛି କି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଖୋଲା ଦିବାଲୋକରେ ଜନପ୍ରତିନିଧିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି, ପୋଲିସ୍ ଚୁପ୍, ସରକାର ଚୁପ୍। ବିଜୁ ଜନତା ଦଳର ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ଠାରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ପୋଲିସ୍ ଉପସ୍ଥିତିରେ ଜନପ୍ରତିନିଧିଙ୍କୁ ଜୀବନରୁ ମାରିଦେବା ପରି ଆକ୍ରମଣ ହେଉଛି।
ଅପରାଧୀଙ୍କୁ ଏ ସାହସ କିଏ ଦେଉଛି? ଓଡ଼ିଶାରେ ଶାସନ ଆଇନର ଚାଲିଛି ନା' ଗୁଣ୍ଡାଙ୍କର? ଏ ସରକାରରେ ଜନପ୍ରତିନିଧି ଅସୁରକ୍ଷିତ, ସାଧାରଣ ଲୋକଙ୍କ ସୁରକ୍ଷା ବିପର୍ଯ୍ୟସ୍ତ। ଧର୍ମଶାଳା ଓ ସାରା ଓଡ଼ିଶାରେ ଏପରି ଘଟଣା ବାରମ୍ବାର ଘଟୁଛି। ହେଲେ ସରକାର କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଓଡ଼ିଶାବାସୀ ଦେଖିବାକୁ ପାଉନାହାନ୍ତି। ସରକାର କ'ଣ ଚାହୁଁଛନ୍ତି, ଶାନ୍ତିପ୍ରିୟ ଓଡ଼ିଶା ଅଶାନ୍ତ ହୋଇପଡୁ? କାହିଁକି ଏପରି ଅପରାଧିକ କାର୍ଯ୍ୟକୁ ସରକାର ପ୍ରଶ୍ରୟ ଦେଉଛନ୍ତି? କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ? ଓଡ଼ିଶାବାସୀ ସବୁ ଦେଖୁଛନ୍ତି, ସବୁର ହିସାବ ରଖୁଛନ୍ତି। ସେମାନେ ଏପରି ଅରାଜକତାର, ଏପରି ଶାସନର ଉଚିତ ଜବାବ ଦେବେ ବୋଲି ନବୀନ କହିଛନ୍ତି।